ମୁମ୍ବାଇ,୯।୧୦ : ଶିବସେନାଙ୍କ ନାମ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବିରରେ ଚାଲିଥିବା ବିତର୍କ ମଧ୍ୟରେ ନିର୍ବାଚନ ଆୟୋଗ ଶିବସେନା ନାମ ଏବଂ ଏହାର ଚିହ୍ନ ଧନୁତୀର ଉପରେ ରୋକ ଲଗାଇଛନ୍ତି। ଏହା ପରେ ଶିବସେନାର ଉଦ୍ଧବ ଠାକରେ ଦଳ ପକ୍ଷରୁ ମୁମ୍ବାଇର ଆନ୍ଧେରୀ ପୂର୍ବରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତିନୋଟି ନାମ ଏବଂ ଚିହ୍ନ ତାଲିକା ଦେଇଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପ୍ରକାଶ ଯେ, ଉଦ୍ଧବଙ୍କ ପକ୍ଷରୁ ଶିବସେନା ବାଲାସାହେବ ଠାକରେ ନାମ ପାଇଁ ପ୍ରଥମ ପସନ୍ଦ ହୋଇଥିବାବେଳେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଦ୍ୱିତୀୟ ପସନ୍ଦ ଭାବେ ତାଲିକା ପ୍ରଦାନ କରାଯାଇଛି। ଏହି ନାମଗୁଡ଼ିକରେ ଉଦ୍ଧବ ଶିବିର ପକ୍ଷରୁ ବାଲାସାହେବ ଠାକରେଙ୍କ ନାମରେ ବ୍ୟବହୃତ ହୋଇଛି।
ଦଳର ନାମ ଏବଂ ଚିହ୍ନ ଉପରେ ଉଭୟ ଦଳର ଦାବିକୁ ନେଇ ନିର୍ବାଚନ ଆୟୋଗ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି ଉଭୟଙ୍କୁ ସୋମବାର ସୁଦ୍ଧା ନିଜ ନିଜ ଦଳ ପାଇଁ ତିନୋଟି ନୂତନ ନାମ ଏବଂ ଚିହ୍ନ ତାଲିକା ଦେବାକୁ କହିଛନ୍ତି। ଦୁଇ ଦଳ ଦ୍ୱାରା ଦିଆଯାଇଥିବା ନାମ ଏବଂ ନିର୍ବାଚନ ଚିହ୍ନ ମଧ୍ୟରୁ କୌଣସିଟି ବ୍ୟବହାର କରିବାକୁ ଆୟୋଗ ସେମାନଙ୍କୁ ଅନୁମତି ଦେବେ।