Categories: ଜାତୀୟ

ସନାତନ ବିବାଦ ଉପରେ ନୀରବତା ଭାଙ୍ଗିଲା ଏଏପି, ଭାଜପା ଉପରେ ବର୍ଷିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୪।୯: ସନାତନ ଧର୍ମ ଉପରେ ଡିଏମକେ ନେତାଙ୍କ ବୟାନ ପରେ ସାରା ଦେଶରେ ଚାଲିଥିବା ବିବାଦକୁ ନେଇ ଆମ ଆଦମୀ ପାର୍ଟି(ଏଏପି)ପ୍ରଥମ ପ୍ରତିକ୍ରିୟା ଦେଇଛି। ସନାତନ ଧର୍ମ ବିବାଦକୁ ନେଇ ଏମ୍‌ପି ସଞ୍ଜୟ ସିଂ ଭାଜପାକୁ କଡ଼ା ଜବାବ ଦେଇଛନ୍ତି। ସଞ୍ଜୟ ସିଂ କହିଛନ୍ତି, ସନାତନ ଧର୍ମକୁ ଭାଜପା ହିଁ ଅପମାନିତ କରିଛି। ପ୍ରତ୍ୟେକ ସନାତନ ଏହି ବିଷୟରେ ସଚେତନ ହେବା ଉଚିତ୍‌। ସେମାନଙ୍କର ନେତା ଶିବରାଜ ସିଂ ଚୌହାନ ଆମର ପ୍ରିୟ ଦେବତାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କ ସହ ତୁଳନା କରିଛନ୍ତି।

ତାଙ୍କର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ମା’ ସୀତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଆମକୁ ଏହି ଲୋକଙ୍କଠାରୁ ଧର୍ମ ପ୍ରତି ସମ୍ମାନ ଶିଖିବାକୁ ପଡିବ। ସଞ୍ଜୟ ସିଂ ଆହୁରି ମଧ୍ୟ କହିଛନ୍ତି , ସନାତନ ଧର୍ମ ଏବଂ ହିନ୍ଦୁ ଧର୍ମକୁ ଅପମାନ କରିବାର କାହାର ଅଧିକାର ନାହିଁ। ଆମର ନେତା ଅରବିନ୍ଦ କେଜ୍‌ରିଓ୍ବାଲଙ୍କର ଏକ ସ୍ପଷ୍ଟ ସ୍ଲୋଗାନ ଅଛି ଯେ, ‘ମଣିଷ ସହିତ ମଣିଷର ଭାଇଚାରା ହେବା ଉଚିତ୍‌ ଏହା ଆମର ବାର୍ତ୍ତା। ତେଣୁ ଆମେ କାହାର ଧର୍ମ ବିରୋଧରେ କୌଣସି ମନ୍ତବ୍ୟ ଦେବା ଉଚିତ୍‌ ନୁହେଁ।

Share