
ମୁମ୍ବାଇ, ୪।୨: ଗାୟକ ଉଦିତ୍ ନାରାୟଣ ମଞ୍ଚରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଇ ବିବାଦଘେରକୁ ଆସିଛନ୍ତି। ଏକ ଲାଇଭ୍ କନ୍ସର୍ଟରେ ଜଣେ ଯୁବତୀ ତାଙ୍କ ସହ ସେଲ୍ଫି ନେବା ପାଇଁ ଅନୁରୋଧ କରିଥିଲେ। ଉଦିତ୍ ଯୁବତୀ ଜଣକ ସହ ସେଲ୍ଫି ଉଠାଇ ତାଙ୍କୁ ଏକ ଚୁମ୍ବନ ଦେଇଥିଲେ। ଏହାର କିଛି ଭିଡିଓ ଏବେ ଭାଇରାଲ ହେଉଛି। ଯୁବତୀଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ଦର୍ଶାଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଉଦିତଙ୍କୁ ଟ୍ରୋଲ୍ କରିଛନ୍ତି। ଏହାସହ କିଛି ୟୁଜର୍ସ ଉଦିତଙ୍କର କିଛି ପୁରୁଣା ଭିଡିଓକୁ ଶେୟାର କରିବାରେ ଲାଗିଛନ୍ତି, ଯେଉଁଥିରେ ସେ ମହିଳା ସଙ୍ଗୀତଜ୍ଞ ଅଲ୍କା ୟାଗ୍ନିକ, ଶ୍ରେୟା ଘୋଷାଲ ଏବଂ ଅଭିନେତ୍ରୀ କରିଶ୍ମା କପୁରଙ୍କୁ ଚୁମ୍ବନ ଦେଉଥିବାର ନଜରକୁ ଆସିଛନ୍ତି। ଉକ୍ତ ଭିଡିଓଗୁଡ଼ିକରେ ଉଦିତଙ୍କ ଚୁମ୍ବନ ପରେ ମହିଳା କଳାକାରମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଅସହଜ ଅନୁଭବ କରୁଛନ୍ତି ବୋଲି କହି ବହୁ ୟୁଜର୍ସ ଉଦିତଙ୍କୁ ସମାଲୋଚନା କରିଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣାକୁ ନେଇ ସୋମବାର ଏକ ସାକ୍ଷାତକାରରେ ଉଦିତ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୌଣସି ଅଶାଳୀନ କାର୍ଯ୍ୟ କରିନାହଁି। ମୁଁ ମୋର ପ୍ରଶଂସକଙ୍କୁ ବହୁତ ଭଲ ପାଏ। ସେମାନେ ମଧ୍ୟ ମୋତେ ଖୁବ୍ ଭଲ ପାଆନ୍ତି। ତେଣୁ ପ୍ରଶଂସକଙ୍କୁ ଚୁମ୍ବନ ଦେବାରେ କିଛି ଅସୁବିଧା ନାହିଁ। ସେ ସ୍ନେହରେ ଏପରି କରିଥିଲେ ଏବଂ ଏଥିରେ କୌଣସି ଅଶାଳୀନ ଆଚରଣ ନ ଥିଲା। ତାଙ୍କୁ ନେଇ ଚାଲିଥିବା ବିବାଦ ପରୋକ୍ଷରେ ତାଙ୍କ ଖ୍ୟାତିକୁ ଅହୁରି ଅଧିକ ବଢ଼ାଉଛି ବୋଲି ଉଦିତ କହିଛନ୍ତି।