କିଏଭ,୧୫। ୧୦(ଏପି): ଗତ ୧୭ ବର୍ଷ ମଧ୍ୟରେ ସ୍ପେନ୍ ଭଳି ଫୁଟ୍ବଲ ପାଓ୍ବାର ହାଉସ୍କୁ ୟୁକ୍ରେନ ପ୍ରଥମଥର ପାଇଁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ମଙ୍ଗଳବାର ପାଖାପାଖି ୧୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ କିଏଭ ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ନେସନ୍ସ ଲିଗ୍ରେ ଗ୍ରୁପ୍ ଡି’ର ଏକ ମ୍ୟାଚ୍ରେ ୟୁକ୍ରେନ୍ ୧-୦ ଗୋଲରେ ସ୍ପେନ୍କୁ ହରାଇଛି। ଦଳ ତରଫରୁ ଭିକ୍ଟର ସିଗାନକୋଭ ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍ର ଏକମାତ୍ର ଗୋଲ ସ୍କୋର କରିଥିଲେ। ୧୭ ବର୍ଷ ମଧ୍ୟରେ ସ୍ପେନ୍ ବିପକ୍ଷରେ ୟୁକ୍ରେନର ଏହା ପ୍ରଥମ ବିଜୟ। ସିଗାନକୋଭ୍ ୭୬ ମିନିଟ୍ରେ ଗୋଲ ଦେଇଥିଲେ। ତେବେ ସେ ଠିକ୍ ୧୦ ମିନିଟ୍ ପୂର୍ବରୁ ପଡିଆରେ ପ୍ରବେଶ କରିଥିଲେ। ସ୍ପେନ ମଧ୍ୟ ଏକାଧିକ ସୁଯୋଗ ହାସଲ କରିଥିଲା। ତେବେ ସେଗୁଡିକୁ ଗୋଲରେ ପରିଣତ କରିପାରି ନ ଥିଲା। ଘରୋଇ ପରିବେଶରୁ ୟୁକ୍ରେନ୍ ଫାଇଦା ଉଠାଇଥିଲା। ପରାଜୟ ସତ୍ତ୍ୱେ ସ୍ପେନ୍ ୭ ପଏଣ୍ଟ ହାସଲ କରି ଗ୍ରୁପ୍ ଡି’ର ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ଜର୍ମାନୀ ଅନ୍ତିମ ସ୍ଥାନରେ ଥିବା ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ୍କୁ ୩-୩ ଗୋଲରେ ଅମୀମାଂସିତ ରଖିଛି। ସେହିପରି ୟୁକ୍ରେନ ଓ ଜର୍ମାନୀ ୬ ଲେଖାଏ ପଏଣ୍ଟ ପାଇଛନ୍ତି। ତେବେ ଗୋଲ ବ୍ୟବଧାନ ଫଳରେ ୟୁକ୍ରେନ ତୃତୀୟ ସ୍ଥାନରେ ରହିଛି। ୪ଟି ମ୍ୟାଚ୍ ଖେଳି ସୁଇଜରଲାଣ୍ଡ ମାତ୍ର ୨ ପଏଣ୍ଟ ପାଇଛି। ଜର୍ମାନୀ ବିପକ୍ଷରେ ସ୍ପେନ୍ ତା’ର ପ୍ରଥମ ମ୍ୟାଚ୍କୁ ଅମୀମାଂସିତ ରଖିଥିଲା। ଏହପରେ ସ୍ପେନ୍ ୪-୦ରେ ୟୁକ୍ରେନ ଓ ୧-୦ ଗୋଲରେ ସୁଇଜରଲାଣ୍ଡକୁ ହରାଇଥିଲା। ନଭେମ୍ବରରେ ସ୍ପେନ୍ ସୁଇଜରଲାଣ୍ଡ ଯାତ୍ରା କରିବ ଓ ଏହାପରେ ଜର୍ମାନୀ ବିପକ୍ଷରେ ମ୍ୟାଚ୍ ଆୟୋଜନ କରିବ। ସେହିପରି ୟୁକ୍ରେନ୍ ଜର୍ମାନୀ ଓ ସୁଇଜରଲାଣ୍ଡ ଟୁର କରିବ।