ୟୁଜି, ପିଜି ଶେଷ ସେମିଷ୍ଟର ପରୀକ୍ଷା ନେଇ ଆଜି ବୈଠକ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ନେଇ ସୋମବାର ବୈଠକ ବସିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସରେ ହେବାକୁ ଥିବା ଏହି ବୈଠକରେ ସବୁ ବିଶ୍ୱବିଦ୍ୟାଳୟ କୁଳପତି, ପରୀକ୍ଷା ନିୟନ୍ତ୍ରକ ଏବଂ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ଯୋଗଦେଇ ଆଲୋଚନା କରିବେ। ଏହାପରେ ପରୀକ୍ଷା ପରିଚାଳନା ସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଏସବୁ ପରୀକ୍ଷା ବାତିଲ କରାଯାଇ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଇଣ୍ଟରନାଲ୍‌ ଫଳାଫଳ ଆଧାରରେ ଉତ୍ତୀର୍ଣ୍ଣ କରାଇବା ଦାବିରେ ସୁପ୍ରିମକୋର୍ଟରେ ଏକ ପିଟିଶନ ହୋଇଥିଲା। ହେଲେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶେଷବର୍ଷ ପରୀକ୍ଷା କରାଇବା ବାଧ୍ୟତମୂଳକ ବୋଲି ଗତ ଶୁକ୍ରବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ନ କରି ଡିଗ୍ରୀ ସାର୍ଟିଫିକେଟ ଦିଆଯାଇପାରିବ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ତେବେ କୌଣସି ରାଜ୍ୟ ଚାହିଁଲେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ପରୀକ୍ଷାକୁ ସ୍ଥଗିତ ରଖିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଫଳରେ ଏସବୁ ପରୀକ୍ଷା ହେବା ନିଶ୍ଚିତ ହୋଇଯାଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

Share