Categories: ଜାତୀୟ

‘ଯୌତୁକ ଯୋଗୁ ବାହା ହୋଇପାରୁଛନ୍ତି ଅସୁନ୍ଦରୀ’

ନୂଆଦିଲ୍ଳୀ,୫ା୪:ଭାରତରେ ଯୌତୁକକୁ ଅପରାଧ କୁହାଯାଉଥିବା ବେଳେ ପାଠ୍ୟପୁସ୍ତକରେ ଏହାର ଉପଯୋଗିତା ସମ୍ପର୍କରେ ପିଲାମାନଙ୍କୁ ପଢ଼ାଯାଉଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ବହିରେ ଯୌତୁକର ଉପଯୋଗିତା ବିଷୟରେ ଉଲ୍ଳେଖ ରହିଥିବା ପୃଷ୍ଠାର ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହା ଆଇଏନ୍‌ସି (ଭାରତୀୟ ନର୍ସିଂ କାଉନସିଲ୍‌) ପାଠ୍ୟକ୍ରମରେ ସାମିଲ ହୋଇଥିବା ଟି.କେ. ଇନ୍ଦ୍ରାଣୀଙ୍କ ଲିଖିତ ସୋସିଓଲଜି ବହି ବୋଲି କେତେଜଣ ଇଣ୍ଟରନେଟ ୟୁଜର କହିଛନ୍ତି। ନର୍ସିଂ ଛାତ୍ରୀଛାତ୍ର ପଢ଼ୁଥିବା ଉକ୍ତ ବହିରେ ଡାଉରିର ଭଲ ଗୁଣ ସମ୍ପର୍କରେ ଉଲ୍ଲେଖ ରହିଛି। ସେଥିରେ ଲେଖାଅଛି ଯୌତୁକ ବାବଦରେ ଘରକୁ ନୂଆ ଆସବାବପତ୍ର, ଫ୍ରିଜ୍‌, ଗାଡ଼ି ଆଦି ଆସୁଥିବାବେଳେ ଏହାଦ୍ୱାରା ପୈତୃକ ସମ୍ପତ୍ତିରୁ ଝିଅ ନିଜ ଭାଗ ଆଣିପାରୁଛନ୍ତି। ସେହିପରି ଯୌତୁକ ଯୋଗୁ ଅସୁନ୍ଦର ଝିଅମାନେ ବାହା ହୋଇପାରୁଥିବା ଉକ୍ତ ପୃଷ୍ଠାରେ ଉଲ୍ଲେଖ କରାଯାଇଛି।
ଉକ୍ତ ବିବାଦୀୟ ପୃଷ୍ଠାର ଏକ ଫଟୋ ଶିବସେନା ନେତ୍ରୀ ତଥା ରାଜ୍ୟସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ଟୁଇଟରରେ ଶେୟାର କରିଛନ୍ତି। ଦେଶରେ ଯୌତୁକ ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ବିଭିନ୍ନ ଆଇନ କାର୍ଯ୍ୟକାରୀ କରିଥିଲେ ହେଁ ଏହା ପୂର୍ବ ପ୍ରକାରେ ଜାରି ରହିଛି। ଆଜିର ଦିନରେ ଯୌତୁକ ଦାବି ବଢ଼ିବାରେ ଲାଗିଛି। ଯୌତୁକକୁ ନେଇ ପାରିବାରିକ ହିଂସା ଘଟୁଥିବାବେଳେ ନାରୀ ନିର୍ଯାତନା ବୃଦ୍ଧି ପାଉଛି। ଉଭୟ ଶାରୀରିକ ଓ ମାନସିକ ଚାପଗ୍ରସ୍ତ ହୋଇ ମହିଳା ଆତ୍ମହତ୍ୟା କରୁଥିବା ପ୍ରିୟଙ୍କା କ୍ୟାପ୍ସନରେ ଲେଖିଛନ୍ତି। ତୁରନ୍ତ ଏଭଳି ବିବାଦୀୟ ପୁସ୍ତକର ଯୋଗାଣ ବନ୍ଦ କରାଯାଉ ବୋଲି ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି କରିଛନ୍ତି।

Share