ବେଜିଂ,୨୧।୨ : ଚାଇନାରେ ଉଇଗୁର ମୁସଲମାନ୍ଙ୍କର ନରସଂହାର ନେଇ ଏବେ ଜାତିସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ବହୁ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଜିନଜିଆନ ଅଞ୍ଚଳ ବିଷୟରେ କେତେକ ରିପୋର୍ଟ ପ୍ରକାଶ କରିଛନ୍ତି। ଜର୍ମାନୀରେ ଚାଲିଥିବା ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଜାତିସଂଘର ମାନବାଧିକାର ମୁଖ୍ୟ ମିସେଲ ବ୍ୟାଚେଲେଟଙ୍କୁ ଜିନଜିଆଙ୍ଗ ପ୍ରଦେଶ ପରିଦର୍ଶନ କରିପାରନ୍ତି, କିନ୍ତୁ ତାଙ୍କୁ ଯାଞ୍ଚ୍ କରିବାକୁ ଅନୁମତି ମିଳିବ ନାହିଁ।
ଏପରି କହି ଚାଇନା ସତ ଲୁଚାଇବାକୁ ଉଦ୍ୟମ କରିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏହି ସମ୍ମିଳନୀରେ ଯୋଗ ଦେଇ ଥିଲେ। ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଜାତିସଂଘର ବ୍ୟାଚେଲେଟଙ୍କୁ ଜିନଜିଆଙ୍ଗ ପରିଦର୍ଶନ କରିବାକୁ ଅନୁମତି ଦେବ କି? ଏହା ଉପରେ ସେ କହିଥିଲେ ଯେ ଚାଇନା ସବୁ ପ୍ରକାର ପକ୍ଷପାତିତା ଏବଂ ଅନାବଶ୍ୟକ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରୁଛି।
ଚାଇନା ସରକାର ଉଇଗରଙ୍କୁ ଡିଟେନଶନ୍ ସେଣ୍ଟରରେ ରଖି ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ଏନେଇ ଜାତିସଂଘ ପକ୍ଷରୁ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରାଯିବାକୁ କୁହାଯାଉଥିଲେ ମଧ୍ୟ ଏଥିରେ ଚାଇନା ସହଯୋଗ କରୁ ନ ଥିବା କୁହାଯାଉଛି।