ଉଇଗର ନିର୍ଯାତନାର ପର୍ଦ୍ଦାଫାଶ୍‌: ୧୩୫ ଯାତନା ଗୃହର ସାଟେଲାଇଟ୍‌ ଫଟୋ ଜାରି

ବେଜିଂ,୨୯।୧୨: ଚାଇନାର ଶିଂଜିଆଙ୍ଗ୍‌ ପ୍ରଦେଶରେ ଉଇଗର ମୁସଲମାନ୍‌ଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ପର୍ଦ୍ଦାଫାଶ୍‌ ହୋଇଛି। ଏବେ ସାଟେଲାଇଟ୍‌ରୁ ମିଳିଥିବା ଫଟୋରୁ ନିର୍ଯାତନା ସମ୍ପର୍କରେ ଜଣାପଡ଼ିଛି। ନ୍ୟୁଜ୍‌ ଓ୍ବେବସାଇଟ୍‌ ବଡ଼ଫିଡ୍‌ ପକ୍ଷରୁ ଶତାଧିକ ଫଟୋ, ସାକ୍ଷାତ୍‌କାର ଏବଂ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ କରାଯାଇଛି। ଚାଇନାର ୧୩୫ ଯାତନା ଗୃହରେ ଉଇଗର ମୁସଲମାନ୍‌ଙ୍କୁ ଦୟନୀୟ ଭାବେ ରଖାଯାଇଥିବା ଫ୍ୟାକ୍ଟ୍ରିରେ କାମ କରିବାକୁ ବାଧ୍ୟ କରାଯାଉଛି। ସେମାନଙ୍କୁ ଆବଶ୍ୟକତାଠାରୁ ଅଧିକ ସମୟ ଖଟିବାକୁ ପଡୁଛି। ଦିନକୁ ୯ ଘଣ୍ଟାରୁ ଅଧିକ ସମୟ ଖଟିବାକୁ କୁହାଯାଉଛି। ଏଥିପାଇଁ ମାସକୁ ୧୦୦ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉଛି। ୨୦ ଲକ୍ଷ ବର୍ଗମିଟର ଅଞ୍ଚଳରେ ଫ୍ୟାକ୍ଟ୍ରି ନିର୍ମାଣ କରାଯାଇଛି। ରିପୋର୍ଟ ଅନୁସାରେ ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଉଇଗରଙ୍କୁ ଯାତନା ଗୃହରେ ଭର୍ତ୍ତି କରାଯାଇଛି। ସେହିପରି ଦେଶରେ ୧୬ ହଜାର ମସଜିଦ୍‌କୁ ଚାଇନାର କମ୍ୟୁନିଷ୍ଟ ସରକାର ଭାଙ୍ଗି ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚାଇନାରେ ସାଂସ୍କୃତିକ ନରସଂହାର ଜାରି ରହିଛି ବୋଲି ଜାତିସଂଘ ପକ୍ଷରୁ ଅଭିଯୋଗ କରାଯିବା ସହିତ ଏନେଇ ଚିନ୍ତା ପ୍ରକଟ କରାଯାଇଛି।

Share