Categories: ଜାତୀୟ

ମୋ ପୁଅକୁ ଗୁଳି ମାରିଦେବା ଉଚିତ: ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ ବାପା

ଉଜ୍ଜୟିନୀ,୨୯।୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଲଜ୍ଜାଜନକ ଘଟଣାକ୍ରମରେ ଜଣେ ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଅଟୋଚାଳକ ଭରତ ସୋନିଙ୍କୁ ପୋଲିସ ଗିରଫ କରିଛି। ଏନେଇ ଜଣାପଡ଼ିବା ପରେ ଭରତଙ୍କ ବାପା ରାଜୁ ସୋନି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ଭରତ ଏଭଳି କିଛି କରିବେ ବୋଲି ସେ ଆଶା କରି ନ ଥିଲେ। ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ ହୋଇଛି। ଯଦି ଏହା ସତ୍ୟ ହୋଇଥାଏ ତେବେ ତାଙ୍କ ପୁଅଙ୍କୁ ଗୁଳି କରି ହତ୍ୟା କରିଦିଆଯାଉ ବୋଲି ସେ ଅପିଲ କରିଛନ୍ତି। ଏହାଫଳରେ ପୋଲିସ ଏବଂ କୋର୍ଟ ଉଭୟଙ୍କ ସମୟ ବଞ୍ଚିବ। କାରଣ ଏଭଳି ଘୃଣ୍ୟ କାମ କରିଥିବା ଲୋକର ବଞ୍ଚିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ସୋମବାର ରକ୍ତସ୍ରାବ ହେଉଥିବା ଅବସ୍ଥାରେ ଉକ୍ତ ନାବାଳିକାଙ୍କୁ ମହାକାଳ ଥାନା ଅଞ୍ଚଳର ରାସ୍ତାରେ ଠାବ କରାଯାଇଥିଲା। ପରେ ତାଙ୍କୁ ବଳାତ୍କାର କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ତଦନ୍ତ ପରେ ଘଟଣାର ଅଭିଯୁକ୍ତ ଅଟୋ ରିକ୍ସା ଚାଳକ ଭରତ ସୋନିଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଅଟକ ରଖାଯାଇଥିବା ବେଳେ ସେ ଫେରାର ହେବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଏବେ ରାଜ୍ୟର ଆଇନଜୀବୀମାନେ ଏକ ବଡ଼ ନିଷ୍ପତ୍ତି ନେଇ କୌଣସି ଓକିଲ ଅଭିଯୁକ୍ତଙ୍କ ତରଫରୁ ମାମଲାକୁ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Share