Advertisement

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା କରି ଚାଲିଥିବାରୁ ବିକ୍ଷୋଭକାରୀମାନେ ଚଳିତ ନିର୍ବାଚନରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପ୍ରଚାର କରିବେ। ଏହାସହ ପ୍ରତି ପଞ୍ଚାୟତରେ ବୁଲି ବୁଲି ଉଜ୍ଜଳା ଦିଦିମାନେ ଭାଜପା ବିରୋଧରେ କହିବେ ବୋଲି ସଭାପତି କାଦମ୍ବିନୀ ସ୍ବାଇଁ କହିଛନ୍ତି l
ବିକ୍ଷୋଭକାରୀଙ୍କ କହିବାନୁସାରେ, କେନ୍ଦ୍ର ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଉଜ୍ଜଳା ଯୋଜନା ଆରମ୍ଭ କରାଯାଇଥିଲା l ୨୦୧୯ ମସିହାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନାର ପ୍ରଚାର ପ୍ରସାର ତଥା ଠିକ ପରିଚାଳନା ପାଇଁ ପ୍ରତି ପଞ୍ଚାୟତରେ ଜଣେ କିମ୍ବା ଦୁଇଜଣ ଉଜ୍ଜଳା ଦିଦିଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କୁ ପ୍ରତି ନୂଆ କନେକ୍ସନ ପାଇଁ ୨୦୦ ଟଙ୍କା ଓ ଗ୍ୟାସ ରିଫିଲିଙ୍ଗ ପାଇଁ ୨୦ ଟଙ୍କା ଦେବା ସହିତ ଆଗାମୀ ଦିନରେ ଅନ୍ୟ ସ୍କିମ୍‌ର ପରିଚାଳନା ଦାୟିତ୍ୱ ଦେଇ ମାସିକ କିଛି ଦରମା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହି ପ୍ରତିଶ୍ରୁତି ପୂରଣ ହୋଇ ନ ଥିବା ଓଡିଶା ଉଜ୍ଜଳା ଦିଦି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। କେନ୍ଦ୍ର ସରକାର ରାଜ୍ୟର ୧୦ ହଜାର ଉଜ୍ଜଳା ଦିଦିଙ୍କୁ ୫ବର୍ଷରୁ ଊର୍ଦ୍ଧ୍ୱ ହେବ କାଣି କଉଡ଼ିଟିଏ ନ ଦେଇ ଠକି ଆସିଛନ୍ତି ବୋଲି କହି ଦିଦିମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଦାବି ଜଣାଇବା ପାଇଁ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ସଂଘ କର୍ମକର୍ତ୍ତା ଓ ଦିଦିମାନେ ଯାଇଥିବାବେଳେ ସେମାନଙ୍କ ଅଭିଯୋଗ ଗ୍ରହଣ କରାଯାଇନାହିଁ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share