ଜୟପୁର,୧୯।୧୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ବଡ଼ ଘୋଷଣା। ଏପ୍ରିଲ ପହିଲାରୁ ରାଜ୍ୟର ବିପିଏଲ୍ ଏବଂ ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ହିତାଧିକାରୀଙ୍କୁ ୫୦୦ ଟଙ୍କାରେ ଏଲ୍ପିଜି ସିଲିଣ୍ଡର ମିଳିବ ବୋଲି ସେ ଘୋଷଣା କରିଛନ୍ତି। ସୋମବାର ଅଲଓ୍ବାରର ମାଲାଖେଡ଼ାଠାରୁ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି।
ସରକାରଙ୍କ ପକ୍ଷରୁ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ଗରିବଶ୍ରେଣୀୟ ଲୋକଙ୍କ ପାଇଁ ଏହି ଘୋଷଣା କରି ଗେହଲଟ୍ କହିଛନ୍ତି, ଦେଶରେ ମୁଦ୍ରାସ୍ପୀତିକୁ ନେଇ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ନାମରେ ଏକ ନାଟକ କରିଥିଲେ। ଏଥିରେ ୧୦୩୬ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳୁଛି। ରାଜ୍ୟ ସରକାର ଆସନ୍ତା ମାସରେ ବଜେଟ ଉପସ୍ଥାପନ କରିବେ। ତା ପୂର୍ବରୁ ଅଧିକ ଘୋଷଣା କରିବାକୁ ଚାହୁଁନାହିଁ। ତଥାପି ଏହି ହିତାଧିକାରୀଙ୍କୁ ୫୦୦ ଟଙ୍କାରେ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।