ବୁଲଡଗ୍‌ ଉପରେ ପ୍ରତିବନ୍ଧକ ଲଗେଇବ ବ୍ରିଟେନ

ଇଂଲଣ୍ଡ,୧୫।୯: ବ୍ରିଟିଶ ସରକାର ଆମେରିକୀୟ ଏକ୍ସଏଲ ବୁଲି କୁକୁର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ପ୍ରଜାତିର କୁକୁରମାନେ ବ୍ରିଟେନର ଅନେକ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ କେତେକଙ୍କର ମୁତ୍ୟୁ ଘଟିଛି। ତେବେ ଏନେଇ ବ୍ରିଟେନରେ ବିବାଦ ଦେଖାଦେଇଛି। କୁକୁରମାନଙ୍କର ଏହି ଆକ୍ରମଣରେ ଖୋଦ୍‌ ପଶୁ କିମ୍ବା ସେମାନଙ୍କ ମାଲିକ ଦାୟୀ ରହିବେ କି ସେନେଇ ଚର୍ଚ୍ଚା ଜୋର ଧରିଛି। ବ୍ରିଟେନର ଗୃହ ସଚିବ ସୁଏଲା ବ୍ରାଭରମ୍ୟାନ କହିଛନ୍ତି, ଏହି ପ୍ରଜାତିର କୁକୁରମାନେ ବିଶେଷ ଭାବରେ ପିଲାମାନଙ୍କ ପାଇଁ ବିପଦ। ଗତ ସପ୍ତାହରେ ବ୍ରିଟେନରେ ୧୧ ବର୍ଷର ଶିଶୁ ସମେତ ତିନି ଜଣଙ୍କୁ ଆମେରିକୀୟ ଏକ୍ସଏଲ ବୁଲି ପ୍ରଜାତିର କୁକୁରମାନେ ଆକ୍ରମଣ କରଛନ୍ତି।

ଏହି କୁକୁରମାନଙ୍କୁ ଦେଶରେ ନିଷେଧ କରିବା ପାଇଁ ବ୍ରିଟେନ ସରକାର ଘୋଷଣା କରିଛନ୍ତି। ଆମେରିକୀୟ ବୁଲି କୁକୁର ତା’ ଓଜନ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଯଦି ଏକ ବୁଲି କୁକୁର ୨୦ ଇଞ୍ଚରୁ ଅଧିକ ଲମ୍ବା ତେବେ ଏହାକୁ ଏକ୍ସଏଲ ଶ୍ରେଣୀଭୁକ୍ତ କରାଯାଏ। ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଏହି କୁକୁରମାନଙ୍କର ଓଜନ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ। ସେମାନଙ୍କର ମୂଲ୍ୟ ୧୨୦୦ରୁ ୧୨ହଜାର ଡଲାର ମଧ୍ୟରେ ରହିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ, କୁକୁର ଆକ୍ରମଣ ଏବେ ବିଶ୍ୱବ୍ୟାପୀ ସମସ୍ୟା ପାଲଟିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କୁକୁର ଆକ୍ରମଣରେ ଆହତ ହେଉଛନ୍ତି। ପ୍ରତିବର୍ଷ ଆମେରିକାରେ ପ୍ରାୟ ୪୫ ଲକ୍ଷ ଲୋକ କୁକୁର ଆକ୍ରମଣର ଶିକାର ହୁଅନ୍ତି।

Share