ଇସ୍ତଫା ଦେବେ ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ ବିଛଣାରେ ୩ ଫୋନ ରଖି ଶୋଇଛି, ଆଗକୁ ନିର୍ବାଚନ ବି ଲଢିବି ନାହିଁ

ଲଣ୍ଡନ,୧୬।୭: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ ଓ୍ବାଲେସ ରବିବାର କହିଛନ୍ତି କି ସେ ମନ୍ତ୍ରିମଣ୍ଡଳରେ ଆଗାମୀ ପରିବର୍ତ୍ତନ ପରେ ଇସ୍ତଫା ଦେଇଦେବେ। ବେନ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ସେ ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ଲଢିବେ ନାହିଁ।
ଗତ ଚାରି ବର୍ଷ ଧରି ବେନ ବ୍ରିଟେନରେ ମନ୍ତ୍ରୀ ରହିଆସିଛନ୍ତି। ସେ ୨୦୦୫ ଠାରୁ କ୍ରମାଗତ ଭାବରେ ସଂସଦର ସଦସ୍ୟ ରହିଆସିଛନ୍ତି। ଦି ସଣ୍ଡେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ୫୩ ବର୍ଷୀୟ କଞ୍ଜରଭେଟିଭ ପାର୍ଟି ସଦସ୍ୟ ଏହି କଥା କହିଛନ୍ତି।
ତିନି ଜଣ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଲିଜ ଟ୍ରସ ଏବଂ ଋଷି ସୁନକଙ୍କ ଅଧୀନରେ ବେନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧ ବିବାଦ ମଧ୍ୟରେ ସେ ବ୍ରିଟେନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ଜାରି ରଖିଛନ୍ତି। ୱାଲେସ କହିଛନ୍ତି, ‘ମୁଁ ୧୯୯୯ରେ ସ୍କଟଲ୍ୟାଣ୍ଡ ସଂସଦରେ ରାଜନୀତିରେ ପ୍ରବେଶ କରିଥିଲି। ସେତେବେଳେ ମୋତେ ୨୪ବର୍ଷ ବୟସ ହୋଇଥିଲା। ମୁଁ ମୋ ବିଛଣାରେ ତିନୋଟି ଫୋନ ସହିତ ସାତ ବର୍ଷରୁ ଅଧିକ ସମୟ ଅତିବାହିତ କରିଛି।

Share