ଲଣ୍ଡନ,୨୫ା୧୨:‘ଡିଲ୍ ଇଜ୍ ଡନ୍’। ୟୁରୋପୀୟ ସଂଘ (ଇୟୁ)ଠାରୁ ବ୍ରିଟେନ ଅଲଗା ହେବା ପରେ ଉଭୟ ପକ୍ଷ ମଧ୍ୟରେ ଶେଷରେ ‘ପୋଷ୍ଟ ବ୍ରେକ୍ଜିଟ୍ ଡିଲ୍’ ସମ୍ପନ୍ନ ହୋଇଛି। ଏହାକୁ ନେଇ ଉଲ୍ଲସିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ଗୁରୁବାର ରାତିରେ ସୋସିଆଲ ମିଡିଆରେ ଡିଲ୍ ସମ୍ପନ୍ନ ହୋଇଛି ବୋଲି ପୋଷ୍ଟ କରିଛନ୍ତି।
ଏହି ଚୁକ୍ତି ସହ ଦୁଇପକ୍ଷ ମଧ୍ୟରେ ମାଛ ଧରିବା ଓ ଭବିଷ୍ୟତର ବାଣିଜି୍ୟକ ନିୟମ ଉପରେ ଲାଗିରହିଥିବା ମତଭେଦ ଦୂର ହୋଇଛି। ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ନିର୍ଦ୍ଧାରିତ ତାରିଖ ଡିସେମ୍ବର ୩୧ ପୂର୍ବରୁ ଆମେ ବ୍ରେକ୍ଜିଟ୍କୁ ପୂରା କରି ଦେଖାଇଛୁ। ଏବେ ବ୍ରିଟେନ ଉପଲବ୍ଧ ସୁଯୋଗଗୁଡ଼ିକର ସମ୍ପୂର୍ଣ୍ଣ ଲାଭ ଉଠାଇପାରିବ। ୨୦୧୬ ଜୁନ୍ରେ ଜନମତ ସଂଗ୍ରହରେ ଏବଂ ୨୦୧୯ ଡିସେମ୍ବରରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ବେଳେ ବ୍ରିଟେନବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାକୁ ଏହି ଡିଲ୍ ପୂରଣ କରିଛି। ଉଭୟ ପକ୍ଷ ଦୀର୍ଘଦିନର ଟଣାଓଟରା ପରେ ଏହି ନିଷ୍କର୍ଷରେ ପହଞ୍ଚତ୍ଛନ୍ତି। ଇୟୁ ମୁଖ୍ୟ ଉରସୁଲା ଓ୍ବାନ୍ ଡେର ଲାୟନ କହିଛନ୍ତି, ଏହା ଏକ ଦୀର୍ଘ ଯାତ୍ରା ଥିଲା। କିନ୍ତୁ ଆମେ ଏକ ଭଲ ଚୁକ୍ତି କରିଛୁ, ଯାହାକି ନିରପେକ୍ଷ ଓ ସନ୍ତୁଳିତ। ଉଭୟ ପକ୍ଷ ପାଇଁ ଏହି ଚୁକ୍ତି ସମ୍ପନ୍ନ କରିବା ବଡ଼ ଉତ୍ତରଦାୟିତ୍ୱ ଥିଲା।