Categories: ଜାତୀୟ

ବ୍ରିଟେନକୁ ଚେତାବନୀ ଦେଲା ଭାରତ: ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା କ୍ଷେତ୍ରରେ ଭେଦଭାବ ନୁହେଁ ଗ୍ରହଣୀୟ

ନୂଆଦିଲ୍ଲୀ,୨୦।୩: ବ୍ରିଟେନର ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଭାରତୀୟ ତ୍ରିରଙ୍ଗାର ଅପମାନ ଏବଂ ବିଶୃଙ୍ଖଳାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି। ଭାରତ ଜଣେ ବରିଷ୍ଠ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ ବ୍ରିଟେନକୁ ହାଇ କମିଶନ ବାହାରେ ସୁରକ୍ଷା ଯୋଗାଇ ଦିଆ ନ ଯିବାର କାରଣ ସମ୍ପର୍କରେ ଜବାବ ଦେବାକୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଯେ, ବ୍ରିଟେନରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ମଧ୍ୟରେ ଭେଦଭାବ ରହିଛି, ଯାହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ।
ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଖଲିସ୍ତାନ ସମର୍ଥକମାନେ ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନଙ୍କୁ ଟାର୍ଗେଟ କରିଥିଲେ। ଏହି ସମୟରେ ତ୍ରିରଙ୍ଗାକୁ ଅପମାନିତ କରାଯାଇଥିଲା ଏବଂ କ୍ୟାମ୍ପସ ପରିସରରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ଘଟଣା ସମୟରେ ଭାରତୀୟ ହାଇ କମିଶନ ବାହାରେ ଥିବା ସୁରକ୍ଷା ବ୍ୟବସ୍ଥା ନ ଥିଲା, ଏହି କାରଣରୁ ଆକ୍ରମଣକାରୀମାନେ ସହଜରେ ଏହି ଘଟଣାକୁ କାର୍ଯ୍ୟକାରୀ କରିପାରିଥିଲେ।

Share