ନିଜ ପରିସ୍ରା ପିଉଥିବା ବ୍ୟକ୍ତିଙ୍କ ଅଜବ ଦାବି

ଲଣ୍ଡନ,୧।୫ : ପ୍ରତିଦିନ ନିଜ ପରିସ୍ରା ପିଉଥିବା ଇଂଲଣ୍ଡର ଜଣେ ୩୪ ବର୍ଷୀୟ ବ୍ୟକ୍ତି ଅଜବ ଦାବି କରିଛନ୍ତି। ଏଭଳି ବିଚିତ୍ର ଅଭ୍ୟାସ ଯୋଗୁ ଅବସାଦ(ଡିପ୍ରେଶନ)ରୁ ଆରୋଗ୍ୟ ଲାଭ କରିବା ସହ ସେ ୧୦ ବର୍ଷ ସାନ ଦେଖାଯାଉଛନ୍ତି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ହାମ୍ପଶାୟାରରେ ରହୁଥିବା ହ୍ୟାରି ମାଟାଡିନ ୨୦୧୬ରେ ଅବସାଦର ଶୀକାର ହେବା ପରେ ମାନସିକ ସମସ୍ୟାରୁ ଆରୋଗ୍ୟ ଲାଭ କରିବା ଲାଗି ନିଜ ପରିସ୍ରା ପାନ କରିବା ଆରମ୍ଭ କରିଥିଲେ। ‘ୟୁରିନ ଥେରାଫି’ ଆରମ୍ଭ କରିବା ପରେ ସେ ଭିନ୍ନ ଏକ ଶାନ୍ତି ଏବଂ ନୂତନ ଭାବନା ଅନୁଭବ କରିଥିଲେ। ତା’ ପରଠୁ ସେ ନିଜ ପରିସ୍ରା ପାନ କରିବା ସପକ୍ଷରେ ମତ ଦେଉଛନ୍ତି।
“ ପରିସ୍ରା ପିଇବା ପରେ ଯେଉଁ ଶକ୍ତି ଅନୁଭବ ହେଲା, ତାହା ମୋ କଳ୍ପନା ବାହାରେ ଥିଲା। ଏହାକୁ ପାନ କରିବା କ୍ଷଣି ଏହା ମୋ ମସ୍ତିଷ୍କକୁ ଜାଗ୍ରତ କରିବା ସହ ମୋ ଉଦାସୀନତାକୁ ଦୂର କରିଥିଲା। ଏଥିଯୋଗୁ ମୁଁ ଅତ୍ୟଧିକ ଶାନ୍ତ ଓ ଏକାଗ୍ରତା ଅନୁଭବ କରିଥିଲି। ଏହାକୁ ମାଗଣାରେ ତିଆରି କରିପାରିବି ଏବଂ ଏହା ଦ୍ୱାରା ମୁଁ ନିଜକୁ ସର୍ବଦା ଖୁସି ରଖିପାରିବି” ବୋଲି ସେ କହିଛନ୍ତି।
ମାଟାଡିନ ଦିନକୁ ପ୍ରାୟ ୨୦୦ ଏମ୍‌ଏଲ୍‌ ପରିସ୍ରା ପିଅନ୍ତି। ରିପୋର୍ଟ ଅନୁଯାୟୀ, ୩୪ ବର୍ଷୀୟ ବ୍ୟକ୍ତି କେବଳ ତାଙ୍କ ପରିସ୍ରା ପିଅନ୍ତି ନାହିଁ, ବରଂ ଏହାକୁ ମୁହଁରେ ମୋଏଶ୍ଚରାଇଜର ଭାବେ ମଧ୍ୟ ଲଗାନ୍ତି। “ୟୁରିନ ଯୋଗୁ ମୁଁ ଖୁବ୍‌ ଯୁବ ଦେଖାଯାଉଛି। ପୁରୁଣା ପରିସ୍ରା ପିଇବା ଦ୍ୱାରା ମୋ ଚେହେରା ପୁନର୍ଜୀବିତ ହୋଇଛି। ଆଉ ଏହାକୁ ମୁହଁରେ ଘଷିଲେ ତୁରନ୍ତ ଫରକ ଅନୁଭବ ହୁଏ। ମୋ ଚେହେରା ଏବେ ଯୁବ, ସଫ୍ଟ ଓ ଗ୍ଲୋ କରୁଛି। ଏହା ଚର୍ମ ପାଇଁ ଶ୍ରେଷ୍ଠ ଖାଦ୍ୟ” ବୋଲି ସେ ଦାବି କରିଛନ୍ତି।

Share