ଭାରତୀୟ ଉଚ୍ଚ ଆୟୋଗ ଉପରେ ଖଲିସ୍ଥାନୀଙ୍କ ଆକ୍ରମଣକୁ ନିନ୍ଦା କଲେ ବ୍ରିଟେନ ମନ୍ତ୍ରୀ

ଲଣ୍ଡନ,୩୦।୮: ମାର୍ଚ୍ଚରେ ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ଉପରେ ଖଲିସ୍ତାନ ଉଗ୍ରବାଦୀ ସମର୍ଥକଙ୍କ ଆକ୍ରମଣକୁ ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ କେମି ବ୍ୟାଣ୍ଡେନୋଚ ନିନ୍ଦା କରିଛନ୍ତି। ସମସ୍ତ କୂଟନୀତିଜ୍ଞଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ବ୍ରିଟିଶ ସରକାର ପ୍ରତିବଦ୍ଧ ବୋଲି ବାଣିଜ୍ୟ ମନ୍ତ୍ରୀ କହିଛନ୍ତି। ଉଚ୍ଚ ଆୟୋଗରେ ଜୋର ଜବରଦସ୍ତ ପ୍ରବେଶ କରିଥିବା ପ୍ରାୟ ୫୦ ଖଲିସ୍ତାନ ସମର୍ଥକ ଭାରତୀୟ ଜାତୀୟ ପତାକାକୁ ଅପମାନିତ କରିଛନ୍ତି, ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିଛନ୍ତି ଏବଂ ଉଚ୍ଚ ଆୟୋଗର ଅଧିକାରୀମାନେ ଆହତ ହୋଇଛନ୍ତି।

କେମି କହିଛନ୍ତି, ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଉପରେ ହୋଇଥିବା ଆକ୍ରମଣ କେବଳ କୂଟନୈତିକ ପରିସରର ପବିତ୍ରତାକୁ ଖଣ୍ଡନ କରିନାହିଁ, ବରଂ କୂଟନୀତିଜ୍ଞଙ୍କ ସୁରକ୍ଷା ତଥା ଅନ୍ତର୍ଜାତୀୟ ସମ୍ପର୍କ ପାଇଁ ବ୍ୟାପକ ପ୍ରଭାବ ପକାଇବ। ଜୁଲାଇରେ ବାଣିଜ୍ୟ ମନ୍ତ୍ରୀ କେମିଙ୍କ ପୂର୍ବରୁ ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲିଭର୍ଲି ଏହି ଆକ୍ରମଣ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି କହି ନିନ୍ଦା କରିଥିଲେ।

Share