୮୯ ଦେଶରେ ଓମିକ୍ରନ୍ ସଂକ୍ରମଣ: ବ୍ରିଟେନରେ ଲାଗିପାରେ ୨ ସପ୍ତାହର ଲକଡାଉନ

ଲଣ୍ଡନ,୧୯ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେସୁଦ୍ଧା ୮୯ ଦେଶରେ ପହଞ୍ଚି ସାରିଲାଣି । ହେଲେ ବ୍ରିଟେନରେ ଏହା ବେଳକୁ ବେଳ ସାଂଘାତିକ ରୂପ ଧାରଣ କରିବାରେ ଲାଗିଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବ୍ରିଟେନରେ ଦ୍ରୁତ ଗତିରେ ପ୍ରସାର ଲାଭ କରୁଥିବା ଓମିକ୍ରନକୁ ଦେଖି ସରକାର ୨ ସପ୍ତାହର ଲକଡାଉନ କଥା ଚିନ୍ତା କରିଥିବା ସୂଚନା ମିଳିଛି । ତେବେ ଆଗକୁ ଖ୍ରୀଷ୍ଟମାସ ଥିବାରୁ ଏହା ବେକାକୁ ହେବା ଆଶଙ୍କା କରାଯାଏ । ଏହାକୁ ଦୃଷ୍ଟିରେ ରଖି ଖ୍ରୀଷ୍ଟମାସ ପରେ ବ୍ରିଟେନରେ ସରକାର ୨ ସପ୍ତାହର ଲକଡାଉନ ଲଗାଇ ପାରନ୍ତି । ଏପରି ନ ହେଲେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ଯେଉଁ ଅନୁପାତରେ ବଢି ଚାଲିଛି ଆଗକୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଥାନର ଅଭାବ ପଡିଯିବ ବୋଲି କୁହାଯାଉଛି । ଏପରି ହେଲେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢିଯିବା ସହ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଏବେଠାରୁ ସରକାର ଲକଡାଉନକୁ ନେଇ ନୂଆ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳୁଛି । ସୂଚନାଯୋଗ୍ୟ, ଏବେ ବ୍ରିଟେନରେ କରୋନା ସଂକ୍ରମଣ ଥମି ନ ଥିବା ବେଳେ ପୁଣିଥରେ ଓମିକ୍ରନ୍ ସଂକ୍ରମଣ ସଭିଙ୍କୁ ଅଡୁଆରେ ପକାଇ ଦେଇଛି ।

Share