କ୍ଷୀର ନଦୀ ବହିବା କାହାଣୀ ଆମେ ଶୁଣିଛୁ। କିନ୍ତୁ ଏହାକୁ କେବେ ଆଖିରେ ଦେଖି ନାହୁଁ। କିନ୍ତୁ ଏବେ ସେମିତି କିଛି ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ଗତ ଏପ୍ରିଲ ୧୫ରେ ଦୁଲାଇସ ନଦୀର ପାଣି ହଠାତ୍ ଧଳା ହୋଇଯାଇଥିଲା। ଅର୍ଥାତ୍ ନଦୀରେ ପାଣି ପରିବର୍ତ୍ତେ ହଠାତ୍ କ୍ଷୀର ବହିବାକୁ ଲାଗିଲା। ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପ୍ରକୃତ ଘଟଣା ହେଲା, ନଦୀ ପାଖଦେଇ ଯାଉଥିବା ଏକ କ୍ଷୀର ଭର୍ତ୍ତି ଟ୍ରକ୍ ଓଲଟିପଡ଼ିଲା। ଏହାପରେ ଟ୍ୟାଙ୍କରରେ ଥିବା ସମ୍ପୂର୍ଣ୍ଣ କ୍ଷୀର ନଦୀ ମଧ୍ୟରେ ବହିବାକୁ ଲାଗିଲା। ଏହି କାରଣରୁ ନଦୀର ପାଣି ଧଳା ହୋଇଗଲା। ନଦୀରେ କ୍ଷୀର ବହୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଲାଇସ ନଦୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷୀର ପ୍ରଭାବିତ ହୋଇଥିଲା। ଏହାକୁ ଦେଖିବା ପରେ ଲୋକେ ଘରୁ ବାଲ୍ଟି, ବାସନ ଆଦି ଆଣି କ୍ଷୀର ନେବାକୁ ଲାଗିଲେ। ପ୍ରଥମେ ଅନେକ ଲୋକ ଏହାକୁ ଚମତ୍କାର ବୋଲି ଭାବିଥିଲେ। କିନ୍ତୁ ପରେ ପ୍ରକୃତ ଘଟଣା ବିଷୟରେ ସମସ୍ତେ ଜାଣିପାରି ଥିଲେ।