ବ୍ରିଟେନରେ ଲୋକଙ୍କୁ ଦିଆଯିବ ତୃତୀୟ ଡୋଜ୍‌

ଲଣ୍ଡନ,୧।୭: କୋଭିଡ୍‌ ଟିକାର ୨ଟି ଡୋଜ୍‌ ନେଇଥିବା ବ୍ରିଟେନ ଜନସାଧାରଣଙ୍କୁ ତୃତୀୟ ଡୋଜ୍‌(ବୁଷ୍ଟର ଡୋଜ୍‌) ଦେବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶୀତଦିନ ଆସିବା ପୂର୍ବରୁ କରୋନା ଭୂତାଣୁର ନୂଆ ଭାରିଆଣ୍ଟରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସେପ୍ଟେମ୍ବରରୁ ବୁଷ୍ଟର ଡୋଜ୍‌ ଦିଆଯିବ। ଏନେଇ ଗୁରୁବାର ବ୍ରିଟିଶ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। କୋଭିଡ୍‌ ଭାକ୍ସିନ ବୁଷ୍ଟର କାର୍ଯ୍ୟକ୍ରମ ଆରମ୍ଭ ଲାଗି ଜାତୀୟ ସ୍ବାସ୍ଥ୍ୟସେବା (ଏନ୍‌ଏଚ୍‌ଏସ୍‌) ସବୁଜ ସଙ୍କେତ ଦେଇଛି। ବ୍ରିଟେନ୍‌ରେ ୮୫ ପ୍ରତିଶତ ବୟସ୍କ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୬୨ ପ୍ରତିଶତରୁ ଊର୍ଦ୍ଧ୍ୱ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଭବିଷ୍ୟତରେ କରୋନା ଭୂତାଣୁର ସମସ୍ତ ଭାରିଆଣ୍ଟ ବିରୋଧରେ ସୁରକ୍ଷା ଲାଗି ବୁଷ୍ଟର ଡୋଜ୍‌ ଦେବା ଲାଗି ଯୋଜନା କରାଯାଇଥିବା ଭାକ୍ସିନ ମନ୍ତ୍ରୀ ନଧିମ୍‌ ଜାହାଓ୍ବି କହିଛନ୍ତି।

Share