ନିପ୍ରୋର ଭଙ୍ଗା କୋଠାତଳୁ ୪୦ ମୃତଦେହ ଉଦ୍ଧାର, ୪୬ ଲୋକ ଏବେବି ନିଖୋଜ, ରୁଷିଆ କହିଲା କରିନାହିଁ ଆକ୍ରମଣ

ମସ୍କୋ/ବର୍ଲିନ,୧୭ ।୧: ୟୁକ୍ରେନ ସହର ନିପ୍ରୋରେ ଥିବା ଘରୋଇ କୋଠା ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରୁଷିଆ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନର ପ୍ରବକ୍ତା ଦିମିତ୍ରି ପେସ୍କୋବ ସୋମବାର କହିଛନ୍ତି, ଉକ୍ତ କୋଠା ଉପରେ ରୁଷିଆ ମିଶାଇଲ ଆକ୍ରମଣ କରିନାହିଁ । ଏଥିପାଇଁ ୟୁକ୍ରେର ଏୟାର ଡିଫେନ୍ସ ସିଷ୍ଟମକୁ ଦାୟୀ କରି ପେସ୍କୋବ କହିଛନ୍ତି, ରୁଷିଆ ଗତ ୧୧ ମାସ ମଧ୍ୟରେ କେବେବି ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରିନାହିଁ ।

ଏପଟେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି ଆକ୍ରମଣର ତୃତୀୟ ଦିନରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋମବାର ମଧ୍ୟାହ୍ନ ସୁଦ୍ଧା ୪୦ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ୪୬ ଜଣ ଏବେବି ନିଖୋଜ ରହିଛନ୍ତି । ଏପଟେ କ୍ରିମିଆର ଗଭର୍ନର ମିଖାଇଲ ରାଜବୋଝେବ କହିଛନ୍ତି, ସୋମବାର କ୍ରିମିଆ ଉପରେ ଆକ୍ରମଣ କରିବାକୁ ଆସିଥିବା ୧୦ ୟୁକ୍ରେନ୍ ଡ୍ରୋନକୁ ଖସାଇ ଦିଆଯାଇଛି । କୁହାଯାଉଛି କି ନିପ୍ରୋ ଉପରେ ହୋଇଥିବା ଆକ୍ରମଣ ପ୍ରତିବଦଳରେ ୟୁକ୍ରେନ୍ କ୍ରିମିଆ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି ।

Share