ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ୍‌ ସହିତ ନିଜକୁ ଉଡ଼ାଇଦେଲେ ୟୁକ୍ରେନର ସାହସିକ ଯବାନ

କ୍ୱିଭ,୨୬।୨: ରୁଷିଆର ସୈନ୍ୟଙ୍କ ଆକ୍ରମଣ ମଧ୍ୟରେ ଜଣେ ୟୁକ୍ରେନ ସୈନ୍ୟଙ୍କ ସାହସିକତାର ଖବର ସାମ୍ନାକୁ ଆସିଛି। ଏହି ଯବାନ ରୁଷିଆର ଟ୍ୟାଙ୍କରକୁ ଅଟକାଇବା ପାଇଁ ବ୍ରିଜ ସମେତ ନିଜକୁ ବୋମାରେ ଉଡାଇଦେଇଥିବା ସୂଚନା ମିଳିଛି। ଯୁଦ୍ଧରେ ପ୍ରାଣ ହରାଇଥିବା ୟୁକ୍ରେନର ଏହି ସୈନ୍ୟଙ୍କ ନାମ ହେଉଛି ଭିଟାଲୀ ଶକୁନ। ଭିଟାଲୀଙ୍କୁ ୟୁକ୍ରେନ ସେନା ହିରୋ ସଜାଇ ସୋସିଆଲ ମିଡିଆରେ ତାଙ୍କ କାହାଣୀ ବିଷୟରେ ଶେୟାର କରିଛନ୍ତି। ସୂଚନାଯୋଗ୍ୟ, ରୁଷିଆ ସେନା ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରୁଛି। ଏହାର ଜବାବରେ, ୟୁକ୍ରେନ ସେନାଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ପ୍ରତି ଆକ୍ରମଣ କରିବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ କ୍ରିମିଆ ନିକଟରେ ଖେରସନ୍‌ ଅଞ୍ଚଳରେ ନିର୍ମିତ ହୋଇଥିବା ବ୍ରିଜକୁ ପାର କରି ରୁଷିଆ ସେନା ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ। ଏହି ସମୟରେ ୟୁକ୍ରେନ ସେନା ସେମାନଙ୍କୁ ଅଟକାଇବା ପାଇଁ ଅଗ୍ରସର ହୋଇଥିଲେ। ଖେରସନ ଅଞ୍ଚଳରେ ମୁତୟନ ହୋଇଥିବା ୟୁକ୍ରେନ ସୈନିକ ଭିଟାଲି ଶକୁନ ଆଗକୁ ବଢ଼ି ମୋର୍ଚ୍ଚା ସମ୍ଭାଳିଥିଲେ। ଟ୍ୟାଙ୍କରକୁ ଅଟକାଇବା ପାଇଁ ସେ ବ୍ରିଜ୍‌ରେ ଏଭଳି ବୋମା ବିସ୍ଫୋରଣ କରିଥିଲେ ଯେପରି ରୁଷିଆର ସୈନ୍ୟମାନେ ସହରକୁ ଆଉ ପ୍ରବେଶ କରିପାରିବେ ନାହିଁ। କିନ୍ତୁ ସେଠାରୁ ସେ ନିଜକୁ ଆଉ ବାହାର କରିପାରି ନ ଥିଲେ। ବ୍ରିଜ୍‌ ସହିତ ନିଜକୁ ମଧ୍ୟ ବୋମାରେ ଉଡ଼ାଇଦେଇଥିଲେ ଭିଟାଲୀ। ସୂଚନା ମୁତାବକ ଭିଟାଲି ଧ୍ୱଂସ କରିଥିବା ଉକ୍ତ ବ୍ରିଜ୍‌ ରୁଷିଆର ଅଧିକୃତ କ୍ରିମିଆକୁ ୟୁକ୍ରେନ ସହ ଯୋଡିଛି। ଭିଟାଲୀ ତାଙ୍କ ଜୀବନକୁ ବାଜି ଲଗାଇ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମିଶନକୁ ଶେଷ କରିଛନ୍ତି। ତାଙ୍କର ଏହି ସାସିକତା ପାଇଁ ଭିଟାଲିଙ୍କୁ ମରୋଣପରାନ୍ତ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି।

Share