ରୁଷିଆ ତୈଳ ଡିପୋ ଉପରେ ଆକ୍ରମଣ କଲା ୟୁକ୍ରେନ

କ୍ୱିଭ୍‌,୧।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦେଢ ମାସରୁ ଅଧିକ ହେବ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ରୁଷିଆ ପଛକୁ ଫେରିବାକୁ ପ୍ରସ୍ତୁତ ନ ଥିବାବେଳେ ୟୁକ୍ରେନ ମଧ୍ୟ ନଇଁବାକୁ ରାଜି ହେଉ ନାହିଁ। ଶୁକ୍ରବାର ୟୁକ୍ରେନ ରୁଷିଆର ତୈଳ ଡିପୋ ଉପରେ ଆକ୍ରମଣ କରିଛି। ରୁଷିଆର ବେଲଗୋରୋଦ ସହରର ରାଜ୍ୟପାଳ ଦାବି କରିଛନ୍ତି, ୟୁକ୍ରେନ ସୀମାବର୍ତ୍ତୀ ଏକ ତୈଳ ଡିପୋ ଉପରେ ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ଏୟାର ଷ୍ଟ୍ରାଇକ କରାଯାଇଛି। ଶୁକ୍ରବାର ସକାଳେ ଏଠାରେ ଥିବା ତୈଳ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ଆସିଥିଲା।
ସୂଚନାଯୋଗ୍ୟ, ରୁଷିଆ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି। ଏଭଳି ପରିସ୍ଥିତିରେ ୟୁକ୍ରେନରେ ଭୀଷଣ ବିନାଶ ଜାରି ରହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ ଏବଂ ବେଲଜିୟମର ସଂସଦକୁ ସମ୍ବୋଧିତ କରିବାବେଳେ କହିଛନ୍ତି, ମୁଁ ରୁଷିଆ ବିରୋଧରେ ଠୋସ ପଦକ୍ଷେପକୁ ଅପେକ୍ଷା କରିଛି।  ଆକ୍ରମଣ ଶେଷ ନ ହେବା ପର୍ଯ୍ୟନ୍ତ ଆମକୁ ଆକ୍ରମଣକାରୀଙ୍କ ଉପରେ ଚାପ ପକାଇବାକୁ ପଡିବ।

Share