ୟୁକ୍ରେନ୍‌ ସାଜିଛି ବଳିର ଛେଳି, ବାଇଡେନ୍‌ ପୁଟିନ୍‌ ପୁଣି ମୁହାଁମୁହିଁ…

ଓ୍ବାଶିଂଟନ, ୮।୨ : ୟୁକ୍ରେନ ସଙ୍କଟ ମଧ୍ୟରେ ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ବାଇଡେନ୍‌ ସୋମବାର ଧମକ ଦେଇଛନ୍ତି ଯେ ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ନର୍ଡ ଷ୍ଟ୍ରିମ-୨ ନିର୍ମାଣ କରିବାକୁ ଅନୁମତି ଦିଆଯିବ ନାହିଁ।

ବାଇଡେନ କହିଛନ୍ତି ଯେ ରୁଷିଆର ଉଚ୍ଚାଭିଳାଷୀ ଗ୍ୟାସ ପାଇପଲାଇନ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-୨ ନିର୍ମାଣରେ ବାଧା ସୃଷ୍ଟି ହେବ। ତେବେ ଗ୍ୟାସ ପାଇପଲାଇନ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-୨ କୁ କିପରି ବନ୍ଦ କରାଯିବ ସେ ସେ ସ୍ପଷ୍ଟ କରି ନାହାଁନ୍ତି। ୟୁକ୍ରେନ ସୀମା ନିକଟରେ ରୁଷୀୟ ସୈନ୍ୟମାନଙ୍କର ଏକତ୍ର ହେବା ପରଠାରୁ, ଆମେରିକା ସତର୍କ ହେବା ସହିତ ଏବଂ ରୁଷିଆର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖୁଛି।

ଏଭଳି କହି ବାଇଡେନ୍‌ ୟୁକ୍ରେନ ପ୍ରସଙ୍ଗରେ ରୁଷିଆକୁ ନୂଆ ଚେତାବନୀ ଦେଇଛନ୍ତି। ଜର୍ମାନ ଚାନ୍ସଲର ଓଲାଫ ସ୍କୋଲଜଙ୍କ ସହ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ବାଇଡେନ୍‌ ଏହା କହିଛନ୍ତି। ଯେତେବେଳେ ବାଇଡେନଙ୍କୁ ପଚରାଗଲା ଯେ ସେ ନର୍ଡ ଷ୍ଟ୍ରିମ-୨ ନିର୍ମାଣକୁ କିପରି ବନ୍ଦ କରିବେ, ସେ କେବଳ ଉତ୍ତର ଦେଇଛନ୍ତି ଯେ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଆମେ ଏହା କରିପାରିବା। ୟୁକ୍ରେନରେ ରୁଷିଆର ସମ୍ଭାବ୍ୟ ସାମରିକ ଆକ୍ରମଣ ବିରୋଧରେ ଆମେରିକା ଏବଂ ଜର୍ମାନୀ ଏକ ମିଳିତ ସାମ୍ମୁଖ୍ୟ ଗଠନ କରିବାକୁ ଯୋଜନା କରିଛନ୍ତି।

ନର୍ଡ ଷ୍ଟ୍ରିମ-୨ ରୁଷିଆର ଏକ ଉଚ୍ଚାଭିଳାଷୀ ଅଣ୍ଡର ୱାଟର ଗ୍ୟାସ ପାଇପଲାଇନ ପ୍ରକଳ୍ପ। ଏହା ପଶ୍ଚିମ ରୁଷିଆ ଦେଇ ଉତ୍ତର-ପୂର୍ବ ଜର୍ମାନୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ଗ୍ୟାସ ପାଇପଲାଇନର ଲମ୍ବ ପ୍ରାୟ ୧,୨୭୫ କିଲୋମିଟର। ଏହି ପ୍ରକଳ୍ପଟି ରୁଷିଆର ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଗଜପ୍ରୋମର ମାଲିକାନାରେ ରହିଛି। ପ୍ରକଳ୍ପଟି ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହାକୁ ୟୁରୋପ ଏଜେନ୍ସି ଦ୍ୱାରା ଅନୁମୋଦନ ହୋଇନାହିଁ।

ଉଲ୍ଲେଖନୀୟ ବିଷୟ ହେଉଛି, ଆମେରିକାର ଅଧିକାରୀମାନେ ଦାବି କରୁଛନ୍ତି ଯେ ୟୁକ୍ରେନ ସୀମା ନିକଟରେ ରୁଷିଆ ୧୦୦,୦୦୦ରୁ ଅଧିକ ସୈନ୍ୟଙ୍କୁ ଜମା କରିଛି। ଏଥି ସହିତ ରୁଷିଆ କୌଣସି ଆକ୍ରମଣ ଯୋଜନା କରୁନାହିଁ ବୋଲି ମଧ୍ୟ କହୁଛି। ଏହା ସହିତ ରୁଷିଆ ଆମେରିକାରୁ ଏକ ଗ୍ୟାରେଣ୍ଟି ଦାବି କରିଛି ଯେ ୟୁକ୍ରେନକୁ ନାଟୋର ସଦସ୍ୟ କରାଯିବ ନାହିଁ, କିନ୍ତୁ ଆମେରିକା ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ।

ଫଳରେ ୟୁକ୍ରେନ୍‌ କେବଳ ବଳିର ଛେଳି ଭାବେ ଦୁଇ ଦେଶ ମଧ୍ୟରେ ରହିଥିବା ଅର୍ନ୍ତଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

Share