ବଢ଼ୁଛି ଯୁଦ୍ଧ ଆଶଙ୍କା: ପୂର୍ବ ୟୁକ୍ରେନରେ ଭୟଙ୍କର ବିସ୍ଫୋରଣ

କାଇଭ୍‌,୧୯।୨: ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରାୟ ସମୟରେ ଆମେରିକା ଯୁଦ୍ଧ ଆଶଙ୍କା କରୁଥିବା ବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛି ରୁଷିଆ। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବ ନାହିଁ କହୁଥିବା ବେଳେ କିନ୍ତୁ ସ୍ଥିତି ପୁରା ଓଲଟା ରହିଛି। ଶୁକ୍ରବାର ପୂର୍ବ ୟୁକ୍ରେନର ଡୋନେଟସ୍କ ଅଞ୍ଚଳର ଏକ କାରରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଦୁର୍ଘଟଣା ଘଟିଥିବା ଉକ୍ତ ଗାଡି ଆଞ୍ଚଳିକ ସୁରକ୍ଷା ଅଧିକାରୀ ଡେନିସ ସିନେକୋଭଙ୍କର ବୋଲି କୁହାଯାଉଛି। ତେବେ ଏହି ଘଟଣା ଯେଉଁଠାରେ ଘଟିଛି ସେଠାରେ ରୁଷିଆ ସମର୍ଥିତ ବିଛିନ୍ନତାବାଦୀମାନେ ନିଜର ଡେରା ପକାଇଥିବା ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ଏକ ଗ୍ୟାସ ପାଇପ୍‌ ଲାଇନରେ ମଧ୍ୟ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସୂଚନା ରହିଛି। ଅନ୍ୟପକ୍ଷରେ କୁହାଯାଉଛି, ଏହା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକ ‘ଫଲ୍ସ ଫ୍ଲାଗ’ ଅଭିଯାନର ଆରମ୍ଭ। ଯାହାର ଅନୁମାନ ଦୀର୍ଘ ଦିନରୁ କରାଯାଉଛି। ‘ଫଲ୍ସ ଫ୍ଲାଗ’ ଅର୍ଥାତ ରୁଷିଆ ନିଜ ଦେଶରେ ବିସ୍ଫୋରଣ ଘଟାଇ ୟୁକ୍ରେନ ଉପରେ ଦୋଷ ଲଦିପାରେ। ଏହାକୁ ଆଧାର କରି ରୁଷିଆ ୟୁକ୍ରେନ ଉପରେ ମଧ୍ୟ ଆକ୍ରମଣ କରିପାରେ ବୋଲି ଚର୍ଚ୍ଚା ହେଉଛି।

Share