ସ୍ବାଧୀନତା ଦିବସ ପାଳିଲା ୟୁକ୍ରେନ୍‌

କିଭ୍‌/ଓ୍ବାଶିଂଟନ୍‌, ୨୫ା୮: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୬ ମାସ ପୂରିଯାଇଥିବାବେଳେ ବୁଧବାର ଏହି ପୂର୍ବ ୟୁରୋପୀୟ ଦେଶ ୩୧ ତମ ସ୍ବାଧୀନତା ଦିବସ ପାଳନ କରିଛି। ଏହି ଦିନ ରୁଷିଆ କିଭ୍‌କୁ ଟାର୍ଗେଟ କରିବା ଆଶଙ୍କା ଥିବାବେଳେ ମସ୍କୋ ସେଭଳି କିଛି ଆକ୍ରମଣ କରି ନ ଥିବା ଜଣାପଡ଼ିଛି। ଏହି ଦୃଷ୍ଟିରୁ ରାଜଧାନୀରେ କୌଣସି ପ୍ରକାର ରାଲି ଆୟୋଜନ ଉପରେ କଟକଣା ଲଗାଯାଇଥିଲା। ସକାଳେ ସାଇରନ୍‌ ଶବ୍ଦରେ କିଭ୍‌ ବାସୀଙ୍କ ନିଦ ଭାଙ୍ଗିଥିବାବେଳେ ନିରାଡମ୍ବରଭାବେ ସେମାନେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏବଂ ସ୍ତ୍ରୀ ଓଲେନା ୟୁକ୍ରେନ୍‌ ପାଇଁ ଜୀବନବଳି ଦେଇଥିବା ସୁରକ୍ଷାକର୍ମୀ, ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ୬ ମାସ ଧରି ଶକ୍ତିଶାଳୀ ରୁଷିଆ ବିରୋଧରେ ସାହସିକତାର ସହ ଲଢ଼େଇ କରିଥିବାରୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ଅତିରିକ୍ତ ସାମରିକ ସହାୟତା ଭାବେ ୩ ବିଲିୟନ ଡଲାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ରେ ଏୟାର ଡିଫେନ୍ସ ସିଷ୍ଟମ, ଆର୍ଟିଲାରି ସିଷ୍ଟମ, ଡ୍ରୋନ୍‌ ଏବଂ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିବ। ଅପରପକ୍ଷେ ବ୍ରିଟେନର ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ବୁଧବାର କିଭ୍‌ରେ ପହଞ୍ଚି ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ୟୁକ୍ରେନ୍‌ ନିଶ୍ଚିତ ଭାବେ ଏହି ଯୁଦ୍ଧ ଜିତିପାରିବ ଏବଂ ଜିତିବ ବୋଲି ବୋରିସ୍‌ କହିଛନ୍ତି।

ଯୁଦ୍ଧ ବନ୍ଦ ପାଇଁ ପୋପ୍‌ଙ୍କ ଆହ୍ବାନ

ସୋଭିଏଟ୍‌ ସଂଘଠାରୁ ଅଲଗା ହୋଇ ୩୧ତମ ସ୍ବାଧୀନତା ଦିବସ ପାଳିଥିବା ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ କରିବା ପାଇଁ କ୍ୟାଥୋଲିକ୍‌ ଚର୍ଚ୍ଚ ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ଆହ୍ବାନ ଦେଇଛନ୍ତି। ଭାଟିକାନ୍‌ରେ ଆୟୋଜିତ ସାପ୍ତାହିକ କାର୍ଯ୍ୟକ୍ରମରେ ପୋପ୍‌ କହିଛନ୍ତି, ୬ ମାସ ହେଲା ୟୁକ୍ରେନ୍‌ବାସୀ ଯୁଦ୍ଧର ଭୟାବହ ପରିଣତି ଭୋଗୁଛନ୍ତି। ସେଠାରେ ଆଣବିକ ବିପର୍ଯ୍ୟୟର ମଧ୍ୟ ଆଶଙ୍କା ରହିଛି। ଏପରି ଘଟିବାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଜରୁରୀ ବୋଲି ପୋପ୍‌ କହିଥିଲେ।

Share