ରୁଷିଆ-ୟୁକ୍ରେନ ଯୁଦ୍ଧ: ଦକ୍ଷିଣ-ପୂର୍ବର ୩ ଅଞ୍ଚଳକୁ ନିଜ ଅଧିନକୁ ନେଇଥିବା ଦାବି କଲା ୟୁକ୍ରେନ

କ୍ୱିଭ,୬ ।୯: ଦୀର୍ଘ ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏବେ ୟୁକ୍ରେନ ସେନା ରୁଷିଆ ସେନାଙ୍କ ଦ୍ୱାରା କବଜା କରାଯାଇଥିବା ୩ଟି ଅଞ୍ଚଳକୁ ପୁଣିଥରେ ନିଜ କବଜାକୁ ନେଇ ଆସିଥିବା ଦାବି କରିଛି । ଏଥିରେ ଦକ୍ଷିଣ ୟୁକ୍ରେନର ୨ଟି ଗାଁ ଓ ପୂର୍ବାଞ୍ଚଳର ଏକ ବସ୍ତିର ଏକ ତୃତିୟାଂଶ ଅଞ୍ଚଳକୁ ନିଜ କବଜାକୁ ଆଣିଥିବା ୟୁକ୍ରେନ୍ ଦାବି କରିଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି ଏହା ଘୋଷଣା କରିବା ସହ ୟୁକ୍ରେନ ସେନାଙ୍କ ମନୋବଳ ବୃଦ୍ଧି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ରୁଷିଆ ସେନାଙ୍କ ଦ୍ୱାରା କବଜା କରାଯାଇଥିବା ଅନ୍ୟ ଅଞ୍ଚଳକୁ ୟୁକ୍ରେନ ସେନା ଖୁବ୍ କମ୍ ଦିନ ମଧ୍ୟରେ ନିଜ ନିୟନ୍ତ୍ରଣକୁ ନେଇ ଆସିବେ ।
ୟୁକ୍ରେନ ସେନା ମୁଖ୍ୟ ସୋମବାର କହିଛନ୍ତି, ତାଙ୍କ ସେନା ଖେରସାନରେ ରୁଷିଆ ସେନାଙ୍କ ଅଧିନରେ ଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଗମନାଗମନକୁ ବନ୍ଦ କରି ଦେଇଛନ୍ତି । ଅନେକ ବାଧା ପରେ ବି ୟୁକ୍ରେନ ସେନା ରୁଷିଆ ସେନାଙ୍କୁ କଡା ଜବାବ ଦେଇଛି ବୋଲି ସେନା ମୁଖ୍ୟ କହିଛନ୍ତି ।
ୟୁକ୍ରେନ୍ ରାଷ୍ଟ୍ରପତି କାର୍ଯ୍ୟାଳୟର ଉପ ମୁଖ୍ୟ କାୟରୋ ତିମୋଶେଂକୋ କହିଛନ୍ତି, ୟୁକ୍ରେନ୍ ସେନା ପୂର୍ବରେ ଲିସିଚଂସ୍କ-ସିବର୍ସ ଅଞ୍ଚଳକୁ ରୁଷିଆ ସେନାଙ୍କ କବଳରୁ ମୁକ୍ତ କରି ଦେଇଛନ୍ତି । ଏହାସହ ଦକ୍ଷିଣରେ ବୈସୋକୋପିଲ୍ୟା ତଥା ଖେରସାନ ଅଞ୍ଚଳରେ ଏକ ଗାଁ ଉପରେ ପୁଣିଥରେ କବଜା କରି ନେଇଛନ୍ତି ।
ଏହି ଅଞ୍ଚଳ ଉପରେ ରୁଷିଆ ଓ ୟୁକ୍ରେନ ଉଭୟର ଫୋକସ ରହିଛି । କାରଣ ରାଜନୈତିକ ଦୃଷ୍ଟି କୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ଇତି ମଧ୍ୟରେ ଦିନିପ୍ରୋ ନଦୀ ଓ ଏହାର ଆଖପାଖ ଅଞ୍ଚଳରେ ଜବରଦସ୍ତ ସଂଘର୍ଷ ଜାରି ରହିଛି । ଏହି ନଦୀ ଖେରସାନ ଅଞ୍ଚଳକୁ ବିଭାଜିତ କରିଥାଏ ।

Share