ମସ୍କୋ,୨୪।୨: ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅନୁମତି ଦେବା ପରେ ରୁଷିଆ ସେନା ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ ମାଡ଼ କରିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ରାଜଧାନୀ କ୍ୱିଭରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏ ନେଇ ସ୍ପଷ୍ଟ କରିଛନ୍ତି ୟୁକ୍ରେନର ଡେପୁଟି ଇଣ୍ଟେରିଅର ମନ୍ତ୍ରୀ ଆଣ୍ଟୋନ ଗେରାସ୍କହେନକୋ। ସାମରିକ କାର୍ଯ୍ୟାଳୟ, ବିମାନ ବନ୍ଦର, କ୍ୱିଭ ନିକଟରେ ଥିବା ସାମରିକ ଓ୍ବେୟାର ହାଉସରେ ରୁଷିଆ ମିସାଇଲ ମାଡ଼ କରିଥିବା ସେ କହିଛନ୍ତି। ଜବାବୀ ଆକ୍ରମଣରେ ରୁଷିଆର ୫ ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ୟୁକ୍ରେନ ଦାବି କରିଛି।
ଅନ୍ୟପକ୍ଷରେ ୟୁକ୍ରେନର ବିଭିନ୍ନ ଏୟାର ବେସ ଓ ପ୍ରତିରକ୍ଷା ସୁବିଧାକୁ ସଠିକ ଅସ୍ତ୍ର ଜରିଆରେ ନଷ୍ଟ କରି ଦିଆଯାଇଛି ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।