Categories: ଜାତୀୟ

ଏୟାର ଲିଫ୍ଟରେ ସାମିଲ ହେଲା ଭାରତୀୟ ବାୟୁସେନା

ନୂଆଦିୀଲ୍ଲୀ,୨।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେସନ ଗଙ୍ଗା’କୁ ଜୋରଦାର କରିଛନ୍ତି। ଏହିକ୍ରମରେ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଆଗାମୀ ୩ ଦିନ ମଧ୍ୟରେ ୨୬ଟି ବିମାନ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି। ଏବେ ଅପରେଶନ ଗଙ୍ଗାରେ ଭାରତୀୟ ବାୟୁସେନା ମଧ୍ୟ ସାମିଲ ହୋଇଛି। ଭାରତୀୟ ବାୟୁସେନାର ସି-୧୭ ବିମାନ ରୋମାନିଆରୁ ଭାରତୀୟଙ୍କୁ ଫେରାଇ ଆଣିବ। ବୁଧବାର ୟୁକ୍ରେନରୁ ରୋମାନିଆକୁ ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଭାରତୀୟ ବାୟୁସେନାର ସି-୧୭ ବିମାନ ଉଡାଣ ଭରିଛି। ସି-୧୭ ଗ୍ଲୋବମାଷ୍ଟର ହିନ୍ଦନ ଏୟାରବେସ୍‌ରୁ ରୋମାନିଆ ପାଇଁ ଡଡ଼ାଣ ଭରିଥିବା ଜଣାପଡ଼ିଛି। ଅନ୍ୟପଟେ ରୋମାନିଆର ବୁଖାରେଷ୍ଟ ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତୀୟଙ୍କ ସହ କଥା ହୋଇଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନରେ ପ୍ରାୟ ୨୦ହଜାର ଭାରତୀୟ ଫସି ରହିଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୧୨ହଜାର ଭାରତୀୟ ୟୁକ୍ରେନ ଛାଡ଼ିଛନ୍ତି। ୟୁକ୍ରେନରେ ପ୍ରାୟ ୬୦ ପ୍ରତିଶତ ଭାରତୀୟ ଫସିରହିଥିବା ବେଳେ ଅବଶିଷ୍ଟ ୪୦ ପ୍ରତିଶତରୁ ଉର୍ଦ୍ଧ୍ୱ ଖାର୍କ୍ୱିଭରେ ଅଛନ୍ତି। ଆଉ କେତେକ ଭାରତୀୟ ଯୁଦ୍ଧ କ୍ଷେତ୍ରରୁ ବାହାରେ ରହିଛନ୍ତି ବୋଲି ବଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି। ଏଥିସହ ସମସ୍ତ ନାଗରିକ କ୍ୱିଭ ଛାଡିଛନ୍ତି ବୋଲି ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି। ୟୁକ୍ରେନର ଖାର୍କ୍ୱିଭରେ ରୁଷିଆର ଆକ୍ରମଣରେ ଛାତ୍ର ନବୀନଙ୍କ ମୃତ୍ୟୁ ପରେ ଭାରତ ଅପରେଶନ ଗଙ୍ଗାକୁ ତୀବ୍ର କରିଛି। ଏହି ଅପରେଶନ ଅଧୀନରେ ଭାରତ ଫେବୃଆରୀ ୨୮ରୁ ମାର୍ଚ୍ଚ ୮ ମଧ୍ୟରେ ବୁଦ୍ଧାପେଷ୍ଟ, ବୁଖାରେଷ୍ଟ ଏବଂ ଅନ୍ୟାନ୍ୟ ସ୍ଥାନକୁ ମୋଟ ୪୬ଟି ବିମାନ ପଠାଇବ ବୋଲି ସୂଚନା ରହିଛି।

Share