ରୁଷିଆକୁ ୟୁକ୍ରେନର ବଡ ଝଟ୍‌କା, ମୋସ୍କୱା କ୍ରୁଜ ଉପରେ ମିଶାଇଲ ମାଡ

କ୍ୱିଭ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହୋଇଥିବା ବେଳେ ଏହା କମ୍ ପରିବର୍ତ୍ତେ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ୍ ସେନା ରୁଷିଆ ସେନାଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛନ୍ତି । ଇତି ମଧ୍ୟରେ ରୁଷିଆ ସେନାଙ୍କୁ କଡା ଜବାବ ଦେବାକୁ ଯାଇ ସେମାନଙ୍କର ବହୁ କ୍ଷତି କରିଛି ୟୁକ୍ରେନ୍ ସେନା । ଏସବୁ ଭିତରେ ୟୁକ୍ରେନ୍ ରୁଷିଆକୁ ସବୁଠାରୁ ବଡ ଝଟକା ଦେଇଛି । ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୟୁକ୍ରେନ୍ ସେନା ମିଶାଇଲ ମାଡ କରି ବ୍ଲାକ ସି’ରେ ଥିବା ରୁଷିଆ ମିଶାଇଲ କ୍ରୁଜକୁ ନଷ୍ଟ କରିଦେଇଛନ୍ତି । ବ୍ଲାଷ୍ଟ ପରେ କ୍ରୁଜରେ ନିଆଁ ଲାଗି ଯାଇଛି । ଏହାଦ୍ୱାରା ରୁଷିଆର ଖୁବ୍ କ୍ଷତି ହୋଇଛି ।

ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ରୁଷିଆ ସେନାର ସୂଚନା ଅନୁଯାୟୀ, ଆକ୍ରମଣ ପୂର୍ବରୁ ସମସ୍ତ ସେନାଙ୍କୁ ବାହାରକୁ ବାହାର କରାଯାଇ ସାରିଥିଲା । ଏପଟେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି, ଉକ୍ତ କ୍ରୁଜ ଉପରେ ୟୁକ୍ରେନ୍ ସେନା ୨ଟି ଆଣ୍ଟି ସିପ ମିଶାଇଲ ଦ୍ୱାରା ଆକ୍ରମଣ କରିଛନ୍ତି ଯାହା ଫଳରେ କ୍ରୁଜର ଅନେକ ‘କ୍ଷତି ହୋଇଛି । ମିଶାଇଲ ମାଡ ପରେ କ୍ରୁଜରେ ନିଆଁ ଲାଗି ଯାଇଛି । ହେଲେ ଏସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦିଆଯାଇ ନାହିଁ ।
ୟୁକ୍ରେନର ଦାବି ପରେ ରୁଷିଆ ତା’ର ସାମ୍ନା କରି କହିଛି କ୍ରୁଜରେ ବୋମା ଓ ଅନ୍ୟ ବାରୁଦ ଥିଲା । ତେଣୁ ବ୍ଲାଷ୍ଟ ପରେ କ୍ରୁଜରେ ନିଆଁ ଲାଗି ଯାଇଥିଲା । କିନ୍ତୁ ବ୍ଲାଷ୍ଟ କେମିତି ହୋଇଛି ଏବେ ତାର ଯାଞ୍ଚ କରାଯାଉଛି । ଏପଟେ ରୁଷିଆ ୟୁକ୍ରେନର ଦାବିକୁ ମାନିବାକୁ ପ୍ରସ୍ତୁତ ନୁହେଁ ।

Share