ରୁଷିଆ ଆଣବିକ କାରଖାନା ଉପରେ ଆକ୍ରମଣ ଅଭିଯୋଗକୁ ୟୁକ୍ରେନର ଖଣ୍ଡନ

କିଭ୍‌,୯।୪: ରୁଷିଆ ଅଧିକୃତ ଜାପୋରିଜିଆ ଆଣବିକ କାରଖାନାକୁ ଡ୍ରୋନ୍‌ ସାହାଯ୍ୟରେ ୟୁକ୍ରେନ୍‌ ଆକ୍ରମଣ କରିଥିବାନେଇ ରୁଷୀୟ ଅଧିକାରୀ ଦେଇଥିବା ବୟାନକୁ ସୋମବାର ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି। ଏହି ଆକ୍ରମଣରେ କୌଣସି ସମ୍ପୃକ୍ତି ନ ଥିବା ନେଇ ୟୁକ୍ରେନ ସ୍ପଷ୍ଟୀକରଣ ରଖିଛି। ଏନେଇ ରୁଷିଆ ପକ୍ଷରୁ ମିଥ୍ୟା ପ୍ରଚାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍‌ର ବରିଷ୍ଠ ସାମରିକ ଅଧିକାରୀ ଆଣ୍ଡ୍ରି କୋଭାଲେଙ୍କୋ। ରୁଷୀୟ ସୈନ୍ୟବାହିନୀ ଡ୍ରୋନ୍‌ ସାହାଯ୍ୟରେ ଏହି ଆଣବିକ କାରଖାନା ଉପରେ ଆକ୍ରମଣ କରି ପରମାଣୁ ନିରାପତ୍ତା ପ୍ରତି ୟୁକ୍ରେନଠାରୁ ବିପଦ ଥିବା ଦର୍ଶାଉଛନ୍ତି ବୋଲି ସେ କହିଛନ୍ତି। ରବିବାର ଏହି ଆଣବିକ କାରଖାନାକୁ ୩ ଥର ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରାଯାଇଥିବା ନେଇ ପୂର୍ବରୁ ରୁଷିଆ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଜାପୋରିଜିଆ ଆଣବିକ କାରଖାନା ଉପରେ ଆକ୍ରମଣ ନେଇ ପ୍ରତିକ୍ରିୟା ରଖିଛି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ)। ଆଣବିକ ନିରାପତ୍ତାକୁ ନେଇ ସାଲିସ କରାଯିବ ନାହିଁ ବୋଲି ଆଇଏଇଏ ପକ୍ଷରୁ ବୟାନ ଜାରି ହୋଇଛି।

Share