ରୁଷିଆର ୩୪ ଡ୍ରୋନ୍‌ ନଷ୍ଟ କଲା ୟୁକ୍ରେନ

କିଭ୍‌,୨୮ା୯: ୟୁକ୍ରେନର ବାୟୁସେନା ରୁଷିଆର ୪୪ ଡ୍ରୋନ୍‌ ମଧ୍ୟରୁ ୩୪ ଡ୍ରୋନ୍‌ ନଷ୍ଟ କରିଦେଇଥିବା ଗୁରୁବାର କହିଛି। ତେବେ ଆଞ୍ଚଳିକ ଅଧିକାରୀ କହିଛନ୍ତି, ଏହି ଆକ୍ରମଣରେ ମେହି ମୃତାହତ ହୋଇନାହାନ୍ତି।

ଏହି ଆକ୍ରମଣକୁ ରୋକିବା ପାଇଁ ଯୁଦ୍ଧ ବିମାନ, ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ୟୁନିଟ୍‌ ଏବଂ ମୋବାଇଲ ଅଗ୍ନିଶମ ଗୋଷ୍ଠୀ ନିୟୋଜିତ ଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି।

ଓଡେସା ଆଞ୍ଚଳିକ ଗଭର୍ନର ଓଲେହ କିପର କହିଛନ୍ତି, ତାଙ୍କ ଅଞ୍ଚଳ ହେଉଛି ମୁଖ୍ୟ ଲକ୍ଷ୍ୟ, କିନ୍ତୁ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଆମ ବାୟୁସେନା ଏକ ଉତ୍ତମ କାର୍ଯ୍ୟ କରିଛି।
ଡ୍ରୋନ୍‌ ଖସି ତଳେ ପଡ଼ିବାରୁ ଶୁଖିଲା ଘାସ ଉପରେ ଅଳ୍ପ କିଛି ନିଆଁ ଲାଗିଯାଇଥିଲା। ଅନ୍ୟ କିଛି କ୍ଷତି ହୋଇନାହିଁ।

ଜୁଲାଇରୁ ୟୁକ୍ରେନର ଦକ୍ଷିଣ ସାମୁଦ୍ରିକ ବନ୍ଦର ଅଞ୍ଚଳ ରୁଷିଆର ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇଆସୁଛି।

Share