ୟୁକ୍ରେନ ଅଧିକ ଶକ୍ତିଶାଳୀ, ସ୍ବୀକାର କଲେ ପୁଟିନ…

ମସ୍କୋ,୧୮।୧୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ବୀକାର କରିଛନ୍ତି ଯେ ୟୁକ୍ରେନ ଅଧିକ ଶକ୍ତିଶାଳୀ ହୋଇଛି। ଦି ନ୍ୟୁୟର୍କ ଟାଇମ୍ସର ଏକ ଖବର ଅନୁଯାୟୀ ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଏହି ଯୁଦ୍ଧ ବୋଧହୁଏ ଆମେ ଭାବିବା ଅପେକ୍ଷା ଅଧିକ କଷ୍ଟସାଧ୍ୟ ହେବ। କିନ୍ତୁ ଯୁଦ୍ଧ ଆମ ଅଞ୍ଚଳରେ ନୁହେଁ ସେମାନଙ୍କ ଅଞ୍ଚଳରେ ଚାଲିଛି। ଆମେ ଏକ ବଡ ଦେଶ ଏବଂ ଆମର ଧୈର୍ଯ୍ୟ ଅଛି। ଅପରପକ୍ଷରେ, ଅନ୍ୟ ରିପୋର୍ଟରେ କୁହାଯାଇଛି ଯେ ରୁଷିଆର ସେନାକୁ ୟୁକ୍ରେନର କିଛି ଅଞ୍ଚଳରୁ ପ୍ରତ୍ୟାହାର କରିନେବା ପରେ ପୁଟିନ ସେନାର ପୁନର୍ଗଠନ ପାଇଁ ଜିଦ ଧରିଛନ୍ତି।

ୟୁକ୍ରେନ ଯୁଦ୍ଧ ପାଇଁ ରଣନୀତି ଉପରେ ଆଲୋଚନା କରିବା ପାଇଁ ଭ୍ଲାଦିମିର ପୁଟିନ କ୍ରେମଲିନରେ ରୁଷିଆର ବରିଷ୍ଠ ସାମରିକ ଅଧିକାରୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ଶନିବାର କ୍ରେମଲିନ କହିଛି ଯେ ୟୁକ୍ରେନରେ ରୁଷିଆର ଯୁଦ୍ଧ ଅଭିଯାନରେ ସାମିଲ ଥିବା ବରିଷ୍ଠ ସାମରିକ ଅଧିକାରୀଙ୍କ ସହ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୈଠକ କରିଛନ୍ତି। ଇତିମଧ୍ୟରେ ରୁଷିଆ ୟୁକ୍ରେନ ଉପରେ ବୋମା ବିସ୍ଫୋରଣବୃଦ୍ଧି କରିଛି। କ୍ରେମଲିନ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଏକ ସ୍ବତନ୍ତ୍ର ସାମରିକ ଅପରେଶନରେ ସାମରିକ କର୍ମଚାରୀଙ୍କ ସହିତ ଦିନସାରା ବିତାଇଥିଲେ। ପୁଟିନ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ ଏବଂ ଜେନେରାଲ ଷ୍ଟାଫ ମୁଖ୍ୟ ଭାଲେରୀ ଗେରାସିମୋଭଙ୍କ ସହ ବୈଠକ କରିଥିଲେ ଏବଂ ବିଭିନ୍ନ ପ୍ରତିରକ୍ଷା ଶାଖାର କମାଣ୍ଡୋମାନଙ୍କ ସହ ପୃଥକ ଆଲୋଚନା କରିଥିଲେ।

ଫ୍ରାନ୍ସ ଏବଂ ୟୁରୋପୀୟ ୟୁନିଅନ କହିଛି ଯେ ଥଣ୍ଡା ଶୀତରେ ୟୁକ୍ରେନ ନାଗରିକଙ୍କୁ ବିଦ୍ୟୁତ ଏବଂ ଗ୍ୟାସ ଯୋଗାଣରୁ ବଞ୍ଚିତ କରିବା ପାଇଁ ଏୟାର ଷ୍ଟ୍ରାଇକ କରିବା ଏକ ଯୁଦ୍ଧ ଅପରାଧ। ୟୁରୋପୀୟ ୟୁନିଅନର ବୈଦେଶିକ ନୀତି ମୁଖ୍ୟ ଏହି ଏୟାର ଷ୍ଟ୍ରାଇକକୁ ବର୍ବର ବୋଲି କହିଛନ୍ତି।

Share