କାଖୋଭକା ଡ୍ୟାମ୍‌ରେ ମିଳିଛି ହିଟଲର୍‌ ସୈନିକଙ୍କ ଖପୁରୀ ଓ ଅସ୍ତ୍ରଶସ୍ତ୍ର

କିଭ୍‌,୧୩।୬: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ସବୁଠାରୁ ବଡ ବନ୍ଧ ମଧ୍ୟରୁ କାଖୋଭକା ଡ୍ୟାମ ଧ୍ୱଂସ ହୋଇଯାଇଛି। ପାଣି ଶୁଖିବାବେଳେ ସେଠାରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କିଛି ଲୋକଙ୍କୁ ପୁରୁଣା ଅସ୍ତ୍ରଶସ୍ତ୍ର ଏବଂ ମଣିଷ ଖପୁରୀ ମାଟିରେ ପୋତି ହୋଇଥିବାର ଦେଖିବାକୁ ପାଇଥିଲେ। ଅନ୍ତର୍ଜାତୀୟ ନ୍ୟୁଜ୍‌ ଏଜେନ୍ସି ରଏଟର୍ସର ରିପୋର୍ଟ ଅନୁଯାୟୀ, ଏହି ଖପୁରୀ ଏବଂ ଅସ୍ତ୍ରଶସ୍ତ୍ରଗୁଡିକୁ ହିଟଲର୍‌ଙ୍କ ସୈନିକମାନଙ୍କର କୁହାଯାଉଛି।

ଋଷ ସହ ଯୁଦ୍ଧ କରିବା ସମୟରେ ଏହି ସୈନିକମାନଙ୍କୁ ଏଠାରେ ହତ୍ୟା କରାଯାଇଥିଲା। ଏଥିସହ ଏସ୍‌-୩୦୦ ନାମକ କ୍ଷେପଣାସ୍ତ୍ରର ଏକ ଅଂଶ ମଧ୍ୟ ମିଳିଛି। ଯାହାକୁ ଉଭୟ ଋଷ ଏବଂ ୟୁକ୍ରେନ ବ୍ୟବହାର କରଥା’ନ୍ତି। ସେଠାକୁ ଯାଞ୍ଚ କରିବାକୁ ଆସିଥିବା ଅଣ୍ଡର ଓ୍ବାଟର୍‌ ବିଶେଷଜ୍ଞମାନେ କହିଛନ୍ତି ଡ୍ୟାମର ଜଳ ସ୍ତର ୪ ମିଟରକୁ ହ୍ରାସ ପାଇଛି। ବନ୍ଧ ଭାଙ୍ଗିବା ପୂର୍ବରୁ ଏହି ଡ୍ୟାମରେ ୧୮ଘନ କିଲୋମିଟର ଜଳ ରହିଥିଲା।

ୟୁକ୍ରେନର ନ୍ୟୁଜ୍‌ ଏଜେନ୍ସି ୟୁନିଅନ ଏକ ଫୁଟେଜ ଜାରି କରିଛି। ଯେଉଁଥିରେ ଅନେକ ଖପୁରୀ ମାଟିରେ ପୋତି ହୋଇ ରହିଥିବାର ଦୃଶ୍ୟ ରହିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ହେଲମେଟ ରହିଛି। ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ସେନାର ସୈନିକମାନେ ପିନ୍ଧିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଅସ୍ତ୍ରଶସ୍ତ୍ର ମଧ୍ୟ ମାଟିରୁ ଉଦ୍ଧାର କରାଯାଇଛି। ଡ୍ୟାମରୁ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଏସ୍‌-୩୦୦ କ୍ଷେପଣାସ୍ତ୍ର ବ୍ୟତୀତ ସ୍ମରଚ୍‌ ରକେଟ ମଧ୍ୟ ରହିଛି।

Share