୩୧ ଦିନରେ ଧ୍ୱଂସ ହେଲା ଖାର୍କିବ, ଦେଖାଦେଲାଣି ଘୋର ଖାଦ୍ୟ ସଙ୍କଟ

କ୍ୱିଭ,୨୬ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ମାସେ ପୂରଣ ହୋଇଥିଲେ ବି ଆକ୍ରମଣ ପୂର୍ବଭଳି ଜାରି ରହିଛି । ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଚାଲିଛି । ରୁଷିଆ ୟୁକ୍ରେନର ସବୁ ବଡ ବଡ ସହରକୁ ଟାର୍ଗେଟ କରିଥିବା ବେଳେ ଏବେ ୟୁକ୍ରେନ ଅଧିକାରୀମାନେ ଦାବି କରିଛନ୍ତି ଯେ ରୁଷିଆ ସେନା ନିକଟରେ ମାରିଉପୋଲ ଥିଏଟର ଉପରେ ଏୟାର ଷ୍ଟ୍ରାଇକ କରିବା ଫଳରେ ୩୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଲୋକେ ଏହାକୁ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରୁଥିବା ବେଳେ ଏବେ ଏହା ନଷ୍ଟ ହୋଇ ଯାଇଛି । କେବଳ ସେତିକି ନୁହେଁ ଏବେ ୟୁକ୍ରେନରେ ଘୋର ଖାଦ୍ୟ ସଙ୍କଟ ଦେଖାଦେଲାଣି ।
ରୁଷିଆ ସେନା କ୍ୱିଭ ଓ ଖାର୍କିବଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ଖାର୍କିବର ଅବସ୍ଥା ଶୋଚନୀୟ ହୋଇପଡିଛି । ଏଠାରେ ଘୋର ଖାଦ୍ୟ ସଙ୍କଟ ଦେଖାଦେଇଥିବା ବେଳେ ଲୋକେ ଖାଦ୍ୟ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେଉଛନ୍ତି । ଖାର୍କିବରେ ଲଗାତର ଗୁଳିଗୋଳା ବର୍ଷଣ ଚାଲିଥିବା ବେଳେ ଲୋକେ ମେଟ୍ରୋରେ ଆଶ୍ରୟ ନେଇଛନ୍ତି । ଖାର୍କିବରେ ହନ୍ନା ସ୍ପିତ୍ୟାସାନା ନାମକ ଜଣେ ଯୁବତୀ ୟୁକ୍ରେନ୍ ରେଡକ୍ରସ ସହାୟତାରେ ଖାଦ୍ୟ ଯୋଗାଇ ଦେଉଥିବା ବେଳେ ହସ୍ୱିଟାଲରେ ଶହ ଶହ ଆହତ ସେନା ଓ ସାଧାରଣ ଜନତା ମୃତ୍ୟୁ ସହ ସଂଗ୍ରାମ କରି ଚାଲିଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ଲୋକ ଥିବାରୁ ଏମାନଙ୍କ ପାଇଁ ଡାଇପର ଓ କମ୍ବଳର ଆବଶ୍ୟକତା ପଡୁଛି ।

Share