ନିଜ ଦେଶରେ ରେଡିଓଆକ୍ଟିଭ୍‌ ଡାର୍ଟି ବୋମା ପକାଇ ପାରେ ୟୁକ୍ରେନ୍‌, ରୁଷିଆର ଅଭିଯୋଗ…

ମସ୍କୋ/କ୍ୱିଭ୍‌,୨୪।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇ ଦେଶ ମଧ୍ୟରେ ଲଗାତାର ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଯୁଦ୍ଧ ବନ୍ଦ କରିବାର ଉପାୟ କଥାବାର୍ତ୍ତା କିମ୍ବା ଅନ୍ତର୍ଜାତୀୟ ହସ୍ତକ୍ଷେପ ମାଧ୍ୟମରେ ସମ୍ଭବ ହୋଇ ପାରୁନାହିଁ। ଉଭୟ ଦେଶ ପରସ୍ପର ମୁଣ୍ଡରେ ଅଠାବୋଳିବା ଜାରି ରଖିଛନ୍ତି। ଏହି କ୍ରମରେ, ବର୍ତ୍ତମାନ ରୁଷିଆ ଅଭିଯୋଗ କରିଛି ଯେ, ୟୁକ୍ରେନକୁ ନିଜ ଦେଶରେ ଜାଣିଶୁଣି ରେଡିଓଆକ୍ଟିଭ ଡାର୍ଟି ବୋମା ବିସ୍ଫୋରଣ କରିବାକୁ ଯୋଜନା କରୁଛି।

ରବିବାର ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ନାଟୋ ଦେଶ ସହ ମିଳିତ ହୋଇ ୟୁକ୍ରେନ ଯୁଦ୍ଧର ସ୍ଥିତିକୁ ଅଧିକ ସଙ୍କଟ ଜନକ କରୁଥିବା କହିଛନ୍ତି।

ଶୋଇଗୁ କହିଛନ୍ତି ଯେ ରେଡିଓଆକ୍ଟିଭ ଡାର୍ଟି ବୋମା ବିସ୍ଫୋରଣ କରି ୟୁକ୍ରେନ ଦୁଇ ଦେଶ ମଧ୍ୟରେ ବିବାଦକୁ ଅଧିକ ବଢ଼ାଇପାରେ। ଏହି ବୋମାକୁ ନିଜ ଦେଶରେ ପକାଇ ୟୁକ୍ରେନ ଅନ୍ତର୍ଜାତୀୟ ଫୋରମରେ ରୁଷିଆକୁ ବଦନାମ କରିବାକୁ ଚେଷ୍ଟା କରିବ। ଏକ ପରମାଣୁ ବୋମା ସହିତ ରେଡିଓଆକ୍ଟିଭ ଡାର୍ଟି ବୋମା ସମାନ। କାରଣ ଏହାର ବିସ୍ଫୋରଣରେ ରେଡିଓଆକ୍ଟିଭ ବର୍ଜ୍ୟବସ୍ତୁ ନିର୍ଗତ ହୋଇଥାଏ। ଏହାର ବିସ୍ଫୋରଣ ପରମାଣୁ ବୋମା ପରି ବିନାଶକାରୀ ନୁହେଁ, କିନ୍ତୁ ଏହା ବହୁ ପରିମାଣରେ ତେଜସ୍କ୍ରିୟ ରଶ୍ମୀ ବିକିରଣକରିଥାଏ।

ରୁଷିଆର ଅଭିଯୋଗକୁ ଖଣ୍ଡନ କରି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହା ମିଥ୍ୟା ପ୍ରଚାର ବୋଲି କହିଛନ୍ତି। ଏହା ରୁଷତଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି।

Share