ଅଟାଓ୍ବା,୨୨।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୁଟନୈତିକ ବିବାଦ ଦିନକୁ ଦିନ ନୂଆ ମୋଡ ନେଉଛି। ଏଭଳି ସ୍ଥିତି ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କାନାଡା ଗସ୍ତରେ ପହଞ୍ଚିଛନ୍ତି। ରୁଷିଆ ଆକ୍ରମଣ ସହ ଲଢ଼ୁଥିବା ନିଜ ଦେଶ ଲାଗି ସମର୍ଥନ ଯୋଗାଡ କରିବା ପାଇଁ ସେ ଗୁରୁବାର ରାତିରେ ଆମେରିକାରୁ କାନାଡାରେ ପହଞ୍ଚଛନ୍ତି। ତେବେ ବିମାନବନ୍ଦରରେ ଓହ୍ଲାଇବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କୁ ସ୍ବାଗତ କରିଛନ୍ତି।
ଜେଲେନସ୍କି ରୁଷିଆ ଆକ୍ରମଣ ବିରୋଧରେ ପଶ୍ଚିମର ସହଯୋଗୀ ଦେଶମାନଙ୍କର ସମର୍ଥନ ହାସଲ କରିବା ଲାଗି ନିଜର ପ୍ରୟାସ କ୍ରମରେ ଶୁକ୍ରବାର କାନାଡା ସଂସଦକୁ ସମ୍ବୋଧନ କରିବେ। ଏପରିକି ଉଭୟ ନେତାଙ୍କ ମଧ୍ୟରେ ଭାରତ-କାନାଡା ବିବାଦକୁ ନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।