ଆଲୋଚନା ପାଇଁ ପୁଟିନ୍‌ଙ୍କୁ ନିମନ୍ତ୍ରଣ କଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ମସ୍କୋ/କ୍ୱିଭ୍‌,୨୫।୨: ଶେଷରେ ମୁଣ୍ଡ ନୁଆଁଇଲା ୟୁକ୍ରେନ୍‌। ଦୁଇଦିନ ଧରି ରୁଷିଆର ଆକ୍ରମଣକୁ ଯଥା ସମ୍ଭବ ଜବାବ ଦେବାକୁ ଚେଷ୍ଟା କରିବା ପରେ ଏକ ପ୍ରକାର ହାର ମାନିଛି ୟୁକ୍ରେନ୍‌। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଆପୋଷ ବୁଝାମଣା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଶୁକ୍ରବାର ନିମନ୍ତ୍ରଣ କରିଛନ୍ତି।

ଦୁଇ ଦିନ ଧରି ରୁଷିଆର ଆକ୍ରମଣ ଜାରି ରହିଥିବା ବେଳେ ଦେଶର ସେନା ୟୁକ୍ରେନର ରାଜଧାନୀ କ୍ୱିଭ୍‌ ନିକଟରେ ପହଞ୍ଚି ସାରିଛନ୍ତି। ୟୁକ୍ରେନ ସେନା ପକ୍ଷରୁ ତାଙ୍କୁ ରୋକା ଯାଉଛି। ଏଭଳି ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ବୁଝାମଣା ଭଳି ଆଭିମୁଖ୍ୟ କେଉଁ ଦିଗକୁ ଯାଉଛି ତାହା ସମୟକ୍ରମେ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଅପରପକ୍ଷେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ପୁଟିନ୍‌ଙ୍କୁ ଜେଲେନ୍‌ସ୍କିଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ତେବେ ଗୁରୁବାର ରୁଷିଆର ଆକ୍ରମଣକୁ ନାଜି ଜର୍ମାନୀ ସହ ତୁଳନା କରିଥିଲେ ୟୁକ୍ରେନ୍‌ ରାଷ୍ଟ୍ରପତି। ରୁଷିଆ ପାଇଁ ୟୁକ୍ରେନ ବିପଦ ବୋଲି ପୁଟିନ୍‌ କହୁଥିବା ବେଳେ ତାଙ୍କ ଦେଶ କିନ୍ତୁ ବିପଦ ନୁହେଁ। ଅତୀତରେ, ନା ବର୍ତ୍ତମାନ, ନା ଭବିଷ୍ୟତରେ ଦେଶ ସେଭଳି ହେବ। ୟୁକ୍ରେନର ନାଗରିକ ପୂର୍ବରୁ ସ୍ବାଧୀନ। ନାଜିବାଦ ଉପରେ ବିଜୟ ପାଇଁ ସେମାନଙ୍କର ୮୦ ଲକ୍ଷ ଲୋକ ବଳିଦାନ ଦେଇଛନ୍ତି। ହେଲେ ରୁଷିଆ ୟୁକ୍ରେନ୍‌ ସହ ବିଶ୍ୱାସଘାତ କରିଛି। ସେ ନିଜର ଆତ୍ମରକ୍ଷା କରୁଛି। ଯାହା ହେଲେ ବି ଆମେ ୟୁକ୍ରେନ୍‌ର ସ୍ବାଧୀନତାକୁ ତ୍ୟାଗ କରିପାରିବୁ ନାହିଁ ବୋଲି ସେ କହିଥିଲେ।

Share