ରୁଷିଆ କରିଡରକୁ ୟୁକ୍ରେନ୍‌ର ପ୍ରତ୍ୟାଖ୍ୟାନ

ମସ୍କୋ/କ୍ୱିଭ୍‌, ୮ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ସାଧାରଣ ନାଗରିକଙ୍କୁ ବାହାର କରିବା ନିମନ୍ତେ ରୁଷିଆ ମାନବୀୟ କରିଡର୍‌ ନିର୍ମାଣ ପାଇଁ ସୋମବାର ଘୋଷଣା କରିଛି। ଦୁଇ ଥର ଅସ୍ତ୍ରବିରତି ଉଲ୍ଲଂଘନ ହେବା ପରେ ରୁଷିଆ ୟୁକ୍ରେନ୍‌ର ଦୁଇ ପ୍ରମୁଖ ସହର କ୍ୱିଭ୍‌, ଖର୍କିଭରୁ ଲୋକଙ୍କୁ ସୁରକ୍ଷିତ ବାହାର କରିବା ନିମନ୍ତେ କରିଡର ପ୍ରସ୍ତୁତ କରିବା ନିମନ୍ତେ ରାଜି ହୋଇଛି। ହେଲେ ୟୁକ୍ରେନ୍‌ବାସୀ ଏହି କରିଡର ଦେଇ ରୁଷିଆ ଓ ବେଲାରୁଷ ଯିବେ ବୋଲି ମସ୍କୋ ପକ୍ଷରୁ ସ୍ଥିର ହୋଇଛି। ଏ ନେଇ ରୁଷିଆ ନ୍ୟୁଜ୍‌ ଏଜେନ୍ସିରେ ଏ ବାବଦ ମ୍ୟାପ୍‌ ପ୍ରକାଶ କରାଯାଇଛି। ରୁଷିଆର ଏପରି ଯୋଜନାବଦ୍ଧ କରିଡର ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଅନୈତିକ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଜଣେ ମୁଖପାତ୍ର କହିଛନ୍ତି। ୟୁକ୍ରେନ୍‌ ନାଗରିକ କୁଆଡେ ଯିବେ ଏବଂ କିପରି ରହିବେ ତାହା ସେମାନଙ୍କ ଇଚ୍ଛା ଉପରେ ନିର୍ଭର କରେ। ଏହା ସେମାନଙ୍କ ଅଧିକାର। ଏପରି କରିଡର ନିର୍ମାଣ ଗ୍ରହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ମଧ୍ୟ ରୁଷିଆର ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରୁଷିଆ ଭାରତୀୟ ସମୟ ସାଢ଼େ ୧୨ଟାରେ କ୍ୱିଭ୍‌, ଖର୍କିଭ, ମାରିଉପୋଲ ଏବଂ ସୁମିରେ ଅସ୍ତ୍ରବିରତି ଘୋଷଣା କରିଥିଲେ ହେଁ ପୁଣି ଏହାର ଉଲ୍ଲଂଘନ ହୋଇଛି।

ୟୁକ୍ରେନ୍‌ ଚାହିଁଲେ ରୁଷିଆ ସେଠାରେ ନିଜର ମିଲିଟାରୀ ଅପରେଶନ ଯେ କୌଣସି ମୁହୂର୍ତ୍ତରେ ବନ୍ଦ କରିବ ବୋଲି କ୍ରେମଲିନ୍‌ ପକ୍ଷରୁ କୁହାଯାଇଛି। କ୍ରିମିଆକୁ ରୁଷିଆର ଅଂଶ ମାନିବା, ଡୋନେସ୍କ ଓ ଲୁହାନ୍‌ସ୍କ ସ୍ବାଧୀନ ମାନ୍ୟତ୍ର ପ୍ରଦାନ, ନାଟୋ ଭଳି ସାମରିକ ମେଣ୍ଟରୁ ୟୁକ୍ରେନ୍‌ ଦୂରେଇ ରହିବା ପାଇଁ ରାଜି ହେଲେ ସମସ୍ୟା ଦୂର ହୋଇପାରିବ ବୋଲି କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେଶକୋଭ୍‌ କହିଛନ୍ତି। ୟୁକ୍ରେନ୍‌ର ଅନ୍ୟ କୌଣସି କ୍ଷେତ୍ର ବା ଅଞ୍ଚଳ ଉପରେ ରୁଷିଆ ନିଜର ବୋଲି ଦାବି କରିବାକୁ ଉଦ୍ଦେଶ୍ୟ ରଖି ନ ଥିବା ସେ ପ୍ରକାଶ କରିଛନ୍ତି। ମସ୍କୋ ଓ କ୍ୱିଭ୍‌ ପ୍ରତିନିଧିଙ୍କ ମଧ୍ୟରେ ସୋମବାର ତୃତୀୟ ପର୍ଯ୍ୟାୟ ବୈଠକ ବସିଥିବାବେଳେ ଆସନ୍ତା ଗୁରୁବାର ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରେଗି ଲାଭ୍ରୋଭ୍‌ ଏବଂ ୟୁକ୍ରେନ୍‌ ପ୍ରତିପକ୍ଷ ତୁର୍କୀରେ ଭେଟି ଆଲୋଚନା କରିବେ ବୋଲି ଜଣାଯାଇଛି।

Share