Categories: ଜାତୀୟ

୨୪୦ ଛାତ୍ରଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୮।୨: ଅପରେଶନ ଗଙ୍ଗା ଅନ୍ତର୍ଗତରେ ୬ଷ୍ଠ ଭାରତୀୟ ବିମାନ ୟୁକ୍ରେନରେ ଫସିରହିଥିବା ଛାତ୍ର ଓ ଭାରତୀୟ ନାଗରିକଙ୍କୁ ନେଇ ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛି। ହଙ୍ଗେରୀ ରାଜଧାନୀ ବୁଦ୍ଧାପେଷ୍ଟରୁ ୨୪୦ ଜଣ ଭାରତୀୟଙ୍କୁ ନେଇ ଏକ ବିମାନ ସେମାବାର ସନ୍ଧ୍ୟାରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ବିମାନବନ୍ଦରରେ ସମସ୍ତ ଭାରତୀୟଙ୍କୁ କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭି ସ୍ବାଗତ କରିଛନ୍ତି। ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ନିରାପଦରେ ସେମାନଙ୍କୁ ହଙ୍ଗେରୀରୁ ସ୍ବଦେଶ ଅଣାଯିବାରୁ ଛାତ୍ରମାନେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଯଦି ଆବଶ୍ୟକ ହୁଏ ତେବେ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନରୁ ବାହାର କରିବା ପାଇଁ ଭାରତୀୟ ବାୟୁସେନାର ସାହାଯ୍ୟ ମଧ୍ୟ ନିଆଯିବ। ତେବେ ମଲଡୋଭା ମାଧ୍ୟମରେ ଏକ ନୂତନ ମାର୍ଗ ଆରମ୍ଭ ହୋଇଛି। ଏହି ମାର୍ଗ ଜରିଆରେ ସମସ୍ତଙ୍କୁ ସାହାଯ୍ୟ ପହଞ୍ଚାଯିବ ବୋଲି ସେ କହିଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୧୪୦୦ ଭାରତୀୟ ନାଗରିକଙ୍କୁ ନେଇ ୬ଟି ବିମାନ ଭାରତରେ ପହଞ୍ଚିଛି। ରୋମାନିଆ ରାଜଧାନୀ ବୁଖାରେଷ୍ଟ ଦେଇ ୪ଟି ଓ ହଙ୍ଗେରୀ ରାଜଧାନୀ ବୁଦ୍ଧାପେଷ୍ଟରୁ ୨ଟି ବିମାନ ଉଡାଣ ଭରିଛି। ଏତଦ୍‌ ବ୍ୟତୀତ ସମସ୍ତ ଭାରତୀୟ ନାଗରିକ ଓ ଛାତ୍ରଙ୍କୁ ପଶ୍ଚିମ ୟୁକ୍ରେନ ଆଡ଼କୁ ଯିବାକୁ ବାଗଚି ଅନୁରୋଧ କରିଛନ୍ତି। କାରଣ ସୀମାରେ ବହୁତ ଭିଡ଼ ରହିଛି। ନିକଟସ୍ଥ ସହରକୁ ଯାଇ ଅପେକ୍ଷା କରନ୍ତୁ, ସେଠାରେ ଭାରତୀୟ ଟିମ୍‌ ପକ୍ଷରୁ ସାହାଯ୍ୟ ପହଞ୍ଚାଯିବ ବୋଲି ବାଗଚି ସୂଚନା ଦେଇଛନ୍ତି।

Share