ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ଆଗ୍ରହୀ ୟୁକ୍ରେନ: ପୁଟିନ୍‌

ମସ୍କୋ,୧୩।୯: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ସହିତ ସାକ୍ଷାତ କରିବାର କିଛି ଘଣ୍ଟା ପୂର୍ବରୁ ଏକ ବଡ ବୟାନ ଦେଇଛନ୍ତି। ରାଷ୍ଟ୍ରପତି ପୁଟିନ କହିଛନ୍ତି, ଆମେରିକା ଏବଂ ବ୍ରିଟେନ ଆଣବିକ ଅସ୍ତ୍ର ଦ୍ୱାରା ଆକ୍ରମଣ ପାଇଁ ୟୁକ୍ରେନକୁ ଋଷିଆ ବିରୋଧରେ ଆକ୍ରୋଶମୂଳକ ଭାବେ ଉତ୍ତେଜିତ କରୁଛନ୍ତି। ନ୍ୟୁକ୍ଲିୟର ପ୍ଲାଣ୍ଟର ଗୁରୁତର କ୍ଷତି ଘଟାଇବାକୁ ୟୁକ୍ରେନ ଚେଷ୍ଟା କରିଛି। ଯଦି ଏପରି ହୁଏ ତେବେ ଋଷିଆ ମଧ୍ୟ ୟୁକ୍ରେନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ କରିବ। ପୂର୍ବ ଋଷିଆର ଭ୍ଲାଦିଭୋଷ୍ଟୋକରେ ଥିବା ଅର୍ଥନୈତିକ ଫୋରମରେ ରାଷ୍ଟ୍ରପତି ପୁଟିନ ଏନେଇ କହିଛନ୍ତି। ସେ ପାଶ୍ଚାତ୍ୟ ଦେଶ ଆଡକୁ ସୂଚାଇ ତାଙ୍କୁ ଚେତାବନୀ ଦେଇଛନ୍ତି।

ଜାପୋରିଜିଆ ନ୍ୟୁକ୍ଲିୟର ପ୍ଲାଣ୍ଟକୁ କ୍ଷତି ପହଞ୍ଚାଇବାକୁ ୟୁକ୍ରେନ ଯୋଜନା କରିଛି। ନ୍ୟୁକ୍ଲିୟର ପ୍ଲାଣ୍ଟକୁ ବିଦ୍ୟୁତ ଯୋଗାଣ ବନ୍ଦ କରିବା ପାଇଁ ୟୁକ୍ରେନ ସ୍ପେଶାଲ ଫୋର୍ସର ଏକ ଦଳ ମିଶନରେ ଥିଲେ। ସେମାନେ ଟ୍ରାନ୍ସମିସନ ଲାଇନକୁ ନଷ୍ଟ କରିବାକୁ ଚାହୁଁଥିଲେ କିନ୍ତୁ ଋଷିଆର ଏଜେନ୍ସି ଏଫଏସବି ସେମାନଙ୍କୁ ଠିକ୍‌ ସମୟରେ ଧରିଥିଲା ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି।

ଜୁନ ୪-୫ରୁ ୟୁକ୍ରେନ ଦ୍ୱାରା ଆରମ୍ଭ ହୋଇଥିବା କାଉଣ୍ଟର ଆକ୍ରମଣରେ ଏପର୍ଯ୍ୟନ୍ତ ୭୧ହଜାର ୟୁକ୍ରେନ ସୈନିକ ନିହତ ହୋଇଛନ୍ତି। ସେହିପରି ୟୁକ୍ରେନର ୫୪୩ ଟ୍ୟାଙ୍କ ସମେତ ୧୮ହଜାରରୁ ଅଧିକ ଭାରୀ ଅସ୍ତ୍ର ନଷ୍ଟ ହୋଇଯାଇଛି ବୋଲି ପୁଟିନ କହିଛନ୍ତି।

Share