‘ଯୁଦ୍ଧ ବନ୍ଦ କରିବାକୁ ହେଲେ ଜେଲନ୍‌ସ୍କିଙ୍କୁ ମାନିବାକୁ ପଡ଼ିବ ପୁଟିନଙ୍କ ଏହି ସର୍ତ୍ତ’

କ୍ୱିଭ୍‌,୨୨ା୭: ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡାର୍‌ ଲୁକାଶଙ୍କୋ କହିଛନ୍ତି, ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଗକୁ ଆସିବା ଉଚିତ୍‌। ସେ ଏହା ମଧ୍ୟ କହିଛନ୍ତି, ଏହାକୁ ରୋକିବା ଏବଂ ପରମାଣୁ ଯୁଦ୍ଧର ବିପଦକୁ ଏଡ଼ାଇବା ପାଇଁ ୟୁକ୍ରେନ ରୁଷିଆର ଦାବିକୁ ଗ୍ରହଣ କରିବା ଉଚିତ।

ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିକଟତମ ସମର୍ଥକ ଆଲେକ୍‌ଜାଣ୍ଡାର୍‌। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ପରେ ବେଲାରୁଷର ସୀମାରେ ଦୁଇ ଦେଶ ମଧ୍ୟରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏକ ସାକ୍ଷାତକାରରେ ବେଲାରୁଷର ରାଷ୍ଟ୍ରପତି କହିଛନ୍ତି, ପ୍ରଥମେ ଏହି ଯୁଦ୍ଧକୁ ବନ୍ଦ କରାଯିବା ଉଚିତ ଏବଂ ତା’ପରେ କିପରି ଆଗକୁ ବଢ଼ିବାକୁ ହେବ ତାହା ଦେଖିବା ଆବଶ୍ୟକ।

ରାଷ୍ଟ୍ରପତି ପୁଟିନଙ୍କ ନିକଟତମମାନେ କହିଛନ୍ତି, ଆଉ ଆଗକୁ ଯିବାର ଆବଶ୍ୟକତା ନାହିଁ। ପରମାଣୁ ଆକ୍ରମଣର ଧମକକୁ ସେ ଅସ୍ବୀକାର କରି କହିଛନ୍ତି, ସେହି ଦିଗରେ ଆଗକୁ ଯିବାର ଆବଶ୍ୟକତା ନାହିଁ। ଏହି ଯୁଦ୍ଧ ନେଇ ବେଲାରୁଷର ରାଷ୍ଟ୍ରପତି ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦାୟୀ କରିଛନ୍ତି। ଯଦି ରୁଷିଆ ଆଗକୁ ଆସି ନ ଥାନ୍ତା, ତେବେ ନାଟୋର ସଦସ୍ୟମାନେ ଏହା ଉପରେ ଆକ୍ରମଣର ଆୟୋଜନ କରିଥାନ୍ତେ। ସେ କହିଛନ୍ତି, ବେଲାରୁଷ ଉଭୟ ପକ୍ଷ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛି, କିନ୍ତୁ ଏହି ଯୁଦ୍ଧକୁ ଏଡ଼ାଯାଇପାରି ନାହିଁ।

Share