କ୍ୱିଭ୍,୮।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୪ ଦିନରେ ପହଞ୍ଚିଛି। ଏହି ଯୁଦ୍ଧ କେବେ ସମାପ୍ତ ହେବ ତାହା କାହାକୁ ଜଣାନାହିଁ। ବେଳକୁ ବେଳ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରୁଛି। ଇତିମଧ୍ୟରେ ଶୁକ୍ରବାର ପୂର୍ବ ୟୁକ୍ରେନ ସହର ଡୋନେଟସ୍କର କ୍ରମାଟରସ୍କ ସ୍ଥିତ ଏକ ରେଲେଓ୍ବେ ଷ୍ଟେସନ ଉପରେ ରୁଷିଆ ସୈନ୍ୟମାନେ ମିଶାଇଲ ମାଡ କରିଛନ୍ତି। ଏହି ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଡୋନେଟସ୍କରେ ଅନେକ ୟୁକ୍ରେନ ନାଗରିକ ଫସିରହିଥିଲେ। ସେମାନଙ୍କୁ ଉଦ୍ଧାର କରିବା ଲାଗି ୟୁକେର ସୈନ୍ୟ ଲଗାତର ଭାବେ ଉଦ୍ୟମ ଚଳାଇଥିଲେ। ବସ୍ରୁ ଆରମ୍ଭ କରି ଅନ୍ୟ ସେବା ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଉଛି। ତେବେ ଶୁକ୍ରବାର ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ରୁଷିଆ ସୈନ୍ୟପକ୍ଷରୁ ମିଶାଇଲ୍ ମାଡ କରାଯାଇଥିଲା। ଏହି ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ଲଗାତର ଭାବେ ସାଧାରଣ ନାଗରିକଙ୍କ ମୃତ୍ୟୁ ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି।