ନାଟୋ ସଦସ୍ୟତା ପାଇଁ ଆବେଦନ କରିବ ୟୁକ୍ରେନ

କିଭ୍‌,୩୦।୯: ୟୁକ୍ରେନର ୪ଟି ଅଞ୍ଚଳ ରୁଷିଆରେ ବିଲୟ ହେବା ପରେ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ୟୁକ୍ରେନ ନାଟୋ ସଦସ୍ୟତା ପାଇଁ ଆବେଦନ କରିବ। କିଭ୍‌ ତୁରନ୍ତ ନାଟୋର ଫାଷ୍ଟ ଟ୍ରାକ ସଦସ୍ୟତା ପାଇଁ ନିବେଦନ କରିଛି। ଯେପର୍ଯ୍ୟନ୍ତ ଭ୍ଲାଡିମିର ପୁଟିନ୍‌ କ୍ଷମତାରେ ଅଛନ୍ତି, ସେପର୍ଯ୍ୟନ୍ତ ୟୁକ୍ରେନ ରୁଷିଆ ସହିତ କଥାବାର୍ତ୍ତା କରିବ ନାହିଁ ବୋଲି ଜେଲେନ୍‌ସ୍କି କହିଛନ୍ତି । ସୂଚନାଯୋଗ୍ୟ, ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଅଧିକ ହେବ ଯୁଦ୍ଧ ଜାରି ରହିଥିବା ବେଳେ ଏହି ସମୟରେ କିଭ୍‌ର ଅନେକ ଅଞ୍ଚଳକୁ ମସ୍କୋ ସୈନ୍ୟ ଜବରଦଖଲ କରିନେଇଥିଲେ। ଏହାପରେ ଜବରଦଖଲ ହୋଇଥିବା ଅଞ୍ଚଳରେ ଜନମତ ସଂଗ୍ରହ କରାଯାଇଥିଲା। ଯାହାର ଫଳାଫଳ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଘୋଷଣା କରିଛନ୍ତି। ଏଥିସହ ୪ଟି ଅଞ୍ଚଳକୁ ନିଜ ଦେଶ ସହ ମିଶାଇବା ପାଇଁ ପୁଟିନ୍‌ ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି। ତେବେ ଏହି ସମୟରେ ଜେଲେନ୍‌ସ୍କିଙ୍କ ଉକ୍ତ ବୟାନ ସାମ୍ନାକୁ ଆସିଛି।

Share