ରୁଷିଆ ଦଖଲରୁ ଅନ୍ୟ ଏକ ଗାଁକୁ ନିଜ ନିୟନ୍ତ୍ରଣକୁ ଆଣିଲା ୟୁକ୍ରେନ, ସେନାକୁ ପ୍ରଶଂସା କଲେ ଜେଲେନସ୍କି…

ମସ୍କୋ/କିଭ,୧୮।୯: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ଼ ଦାବି କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ୟୁକ୍ରେନ ସୈନ୍ୟମାନେ ବାଖମୁଟର ଦକ୍ଷିଣ କୂଳରେ ଅବସ୍ଥିତ କ୍ଲିଚିଭକା ଗାଁକୁ ରୁଷିଆ ଦଖଲରୁ ନିଜ ନିୟନ୍ତ୍ରଣକୁ ଆଣିଛନ୍ତି।

ବାସ୍ତବରେ ଏହି ଗ୍ରାମକୁ ରୁଷିଆର ସେନା ଦଖଲ କରିଥିଲା। ରାଷ୍ଟ୍ରପତି ଜେଲେନସ୍କି ଦେଶକୁ ଦିଆଯାଇଥିବା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ସୈନିକମାନଙ୍କୁ ପ୍ରଶଂସା କରି ସେ କହିଛନ୍ତି ଆଜି ମୁଁ ସେହି ସୈନିକମାନଙ୍କୁ ପ୍ରଶଂସା କରୁଛି, ଯେଉଁମାନଙ୍କ ଅଦମ୍ୟ ଶକ୍ତି ଦ୍ୱାରା ୟୁକ୍ରେନ ଏହି ଅଞ୍ଚଳକୁ ପୁନର୍ବାର ଫେରାଇ ଆଣିଛି।

ଜେଲେନସ୍କି ସେନାକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସଫଳ ଉଦ୍ୟମ ପରେ କ୍ଲିଚିଭକା ଗାଁ ପୁଣି ଆମର ହୋଇଗଲା। ଏଥି ସହିତ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲିଆର ୟୁକ୍ରେନ ସେନାର ସଫଳତାର ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେନା ୟୁକ୍ରେନର ଜାତୀୟ ପତାକା ଉତ୍ତୋଳନ କରୁଥିବା ଦେଖାଯାଉଛି। ସେ କହିଛନ୍ତି ଆଜି ଆମର ସୈନ୍ୟବାହିନୀକୁ ଦିନସାରା ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ ପଡିଥିଲା, କିନ୍ତୁ ଶେଷରେ ସେମାନେ ସଫଳତା ପାଇଲେ।

ୟୁକ୍ରେନ ସେନା କମାଣ୍ଡର ଓଲେକ୍ସନ୍ଦର ସିରସ୍କି ମଧ୍ୟ ଗାଁକୁ ଦଖଲ କରିଥିବା ନିଶ୍ଚିତ କରିଛନ୍ତି। ଜାନୁଆରୀରେ ରୁଷିଆ ଏହି ଗ୍ରାମକୁ ଦଖଲ କରିଥିଲା। ଯୁଦ୍ଧ ପୂର୍ବରୁ ଏହି ଗାଁର ଜନସଂଖ୍ୟା ପ୍ରାୟ ୪୦୦ ଥିଲା।

Share