ରୁଷିଆ ଉପରେ ୟୁକ୍ରେନର ପାଲଟା ଆକ୍ରମଣ, ଡୋନେଟସ୍କ ଅଞ୍ଚଳରେ ଗୁଳି ବିନିମୟ, ୫ସାଧାରଣ ନାଗରିକଙ୍କ ମୃତ୍ୟୁ…

କିଭ୍‌/ମସ୍କୋ,୧୭।୯ : ଗତ ଏକ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅନେକ ଉତଥାନ-ପତନ ଘଟିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ହେବାର ହେବାର ସମ୍ଭାବନା ଦେଖାଯାଉ ନାହିଁ।

ସଦ୍ୟତମ ମାମଲାରେ ରୁଷିଆର ଡୋନେଟସ୍କ ଅଞ୍ଚଳରେ ୟୁକ୍ରେନ ଗୁଳି ବିନିମୟ କରିଛି। ଏହି ଆକ୍ରମଣରେ ୫ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ୟୁକ୍ରେନର ପୂର୍ବ ଅଞ୍ଚଳରେ ଅବସ୍ଥାପିତ ରୁଷିଆର ଅଧିକାରୀ ଏହି ସୂଚନା ଦେଇଛନ୍ତି।

କିରୋଭ ଏବଂ କୁଇବିଶେଭସ୍କି ଜିଲାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୈଟେଲୋଡାର୍କରେ ଜଣେ ମହିଳା ଆହତ ହୋଇଛନ୍ତି। ଟେଲିଗ୍ରାମ ମେସେଜିଂ ଆପ ଉପରେ ହୋଇଥିବା ଆକ୍ରମଣ ବିଷୟରେ ରୁଷିଆର ନିଯୁକ୍ତ ମୁଖ୍ୟ ଡେନିସ ପୁଶିଲିନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୪ ପରଠାରୁ ଡୋନେଟସ୍କ ଅଞ୍ଚଳ ଆଂଶିକ ଭାବେ ରୁଷିଆ ସମର୍ଥକ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ରହିଛି। ଏହି ଆକ୍ରମଣ ସମ୍ପର୍କରେ କିଭ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ ରିପୋର୍ଟ କରିଛନ୍ତି ପ୍ରତିଶୋଧ ନେବାକୁ ୟୁକ୍ରେନ ସୈନ୍ୟମାନେ ରୁଷିଆ ଉପରେ ଆକ୍ରମଣ କରିଛନ୍ତି।

ସୂଚନାଯୋଗ୍ୟ ଚଳିତ ବର୍ଷ ଅଗଷ୍ଟ ୨୫ ରେ ରୁଷିଆ ୟୁକ୍ରେନର ସ୍ବାଧୀନତା ଦିବସର ବିଶେଷ ଉତ୍ସବରେ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଅନ୍ୟ ୧୬ ଜଣ ଆହତ ହୋଇଥିଲେ। ୟୁକ୍ରେନ ଏହାର ୩୨ ତମ ସ୍ବାଧୀନତା ଦିବସ ପାଳନ କରୁଥିଲା। ଅଧିକାରୀଙ୍କ କହିବାନୁସାରେ, ରୁଷିଆ ଖରସାନ ଏବଂ ଡନିପ୍ରୋ ଏବଂ ସୀମାନ୍ତ ସହର କୁରାଖୋଭ ଉପରେ ଆକ୍ରମଣ କରିଥିଲା। ଏଥିରେ ବହୁ ସାଧାରଣ ନାଗରିକ ଆହତ ହୋଇଥିଲେ। ଏଥି ସହିତ ଦକ୍ଷିଣ ୟୁକ୍ରେନରେ ଗୁଳି ବିନିମୟରେ ଜଣେ କୃଷକଙ୍କ ମୃତ୍ୟୁ ଘଟଥିଲା। ଏହି ଆକ୍ରମଣରେ ଅନେକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିଲା।

Share