ରକେଟ ମାଡ଼ରେ ୟୁକ୍ରେନର ଲୋକପ୍ରିୟ ଅଭିନେତ୍ରୀଙ୍କ ପରଲୋକ

କ୍ୱିଭ୍‌,୧୮।୩: ରୁଷିଆର ରକେଟ୍‌ ମାଡ଼ରେ ୟୁକ୍ରେନ ଅଭିନେତ୍ରୀ ଓକସାନା ସଭେଟଙ୍କ ମୃତ୍ୟୁ ଘଟିଛି। ଓକସାନା ହେଉଛନ୍ତି ୟୁକ୍ରେନର ଜଣେ ଲୋକପ୍ରିୟ ଅଭିନେତ୍ରୀ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଗତମାସରେ ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ କଳାପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପୂର୍ବ ୟୁକ୍ରେନର ଖାରକିଭ ସହର ଉପକଣ୍ଠରେ ଥିବା ମେରାଫାର ଏକ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ରରେ ରୁଷିଆ ସେନାର ଘନଘନ ବୋମା ମାଡ଼ ହୋଇଛି। ଏଥିରେ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଆକ୍ରମଣରେ ୨୫ ଜଣ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବୋମା ମାଡ଼ରେ ବହୁତଳ ବିଶିଷ୍ଟ ପ୍ରାସାଦ ଧ୍ୱଂସ ହୋଇଯାଇଛି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ନିଆଁ ଲାଗିବା ସହ ବିଲଡିଂର ଉପର ଭାଗ ଭୁଶୁଡ଼ି ପଡ଼ିଥିବା ଜଣାପଡିଛି। ଅନ୍ୟପକ୍ଷେ ଏକ ଭିଡିଓ ବାର୍ତ୍ତାରେ ୟୁକ୍ରେନ ରାଷ୍ଟ୍ରପତି ଭେଲୋଡିମିର ଜେଲେନ୍‌ସ୍କି ୟୁକ୍ରେନ ନାଗରିକଙ୍କୁ ହିରୋ ବୋଲି ସମ୍ବୋଧନ କରିଛନ୍ତି।

Share