ଖାର୍କିବ ନିକଟ ଗାଁକୁ ପୁଣି ନିଜ କବଜାକୁ ନେଲେ ୟୁକ୍ରେନ୍ ସେନା

କ୍ୱିଭ,୩୦ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ହେଲାଣି । ହେଲେ ଏବେବି ପରସ୍ପର ମଧ୍ୟରେ ପୂର୍ବଭଳି ଲଢେଇ ଜାରି ରହିଛି । ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ରୁଷିଆ କବଜାରେ ଥିବା ୟୁକ୍ରେନର ରୁସ୍କା ଲୋଜାବା ଗାଁରୁ ଶହ ଶହ ଲୋକଙ୍କୁ ବାହାର କରି ନିକଟସ୍ଥ ଖାର୍କିବକୁ ନିଆଯାଇଥିବା ସୂଚନା ମିଳିଛି । ଖାର୍କିବ ଗଭର୍ନରଙ୍କ ଅନୁସାରେ ଭିଷଣ ଲଢେଇ ପରେ ଗାଁର ପ୍ରାୟ ଅଧାରୁ ଅଧିକ ଲୋକେ ବସ, କାର ଅଥବା ଚାଲି ଚାଲି ଗାଁ ଛାଡି ଚାଲି ଯାଇଛନ୍ତି । ଏହି ଲଢେଇରେ ରୁଷିଆ ସେନାଙ୍କୁ ହଟାଇ ଦିଆଯିବା ସହ ଗାଁକୁ ସମ୍ପୂର୍ଣ୍ଣ ଭାବେ ୟୁକ୍ରେନ୍ ସେନା ନିଜ କବଜାକୁ ନେଇଥିବା ସୂଚନା ମିଳିଛି ।
ସେନାଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଯବାନମାନେ ଗାଁର କେନ୍ଦ୍ର ସ୍ଥଳରେ ସରକାରୀ କୋଠାରେ ୟୁକ୍ରେନ୍ ପତାକା ଉଡାଉଥିବା ଦେଖାଯାଇଛି । ହେଲେ ବାହାରେ ଏବେବି ଲଢେଇ ଜାରି ରହିଛି । ଏହି ଗାଁଠାରୁ ପ୍ରାୟ ୨୦ କିଲୋମିଟର ଦୂର ଖାର୍କିବ ପହଞ୍ଚିବା ପରେ ଲୋକେ କହିଛନ୍ତି ସେମାନେ ବଡ ଖରାପ ପରିସ୍ଥିତିରେ ବେସମେଣ୍ଟରେ ରହି ଆସୁଥିଲେ । ତାଙ୍କ ପାଖରେ ଖାଦ୍ୟ ଅବା ପାନୀୟ ପର୍ଯ୍ୟାପ୍ତ ପରିମାଣରେ ନ ଥିଲା ।

Share