ଯୁଦ୍ଧ ଲଢ଼େଇ ମଧ୍ୟରେ ସୀମାରେ ବିବାହ କଲେ ୟୁକ୍ରେନ ଦମ୍ପତି

ୟୁକ୍ରେନ,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ଦିନରେ ପହଞ୍ଚିଛି। ୟୁକ୍ରେନର ସହରଗୁଡ଼ିକରେ ଲଗାତର ଭାବେ ରୁଷିଆ ସୈନ୍ୟ ବୋମା ମାଡ଼ କରୁଛନ୍ତି। ଏହି ସଙ୍କଟ ଯୋଗୁ ନିଜ ଘର ଛାଡି ୟୁକ୍ରେନବାସୀଙ୍କୁ ଅନ୍ୟ ଦେଶରେ ଆଶ୍ରୟ ନେବାକୁ ପଡ଼ୁଛି। ତେବେ ଏହି ଯନ୍ତ୍ରଣା ଭିତରେ ହୃଦୟକୁ ଛୁଇଁଗଲା ଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ରୁଷିଆ ସୈନିକଙ୍କ ଆକ୍ରମଣରୁ ନିଜ ଦେଶକୁ ବଞ୍ଚାଇବା ପାଇଁ ବନ୍ଧୁକ ଧରିଥିବା ୟୁକ୍ରେନ ସୈନିକଙ୍କ ଏକ ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୀମାରେ ଯୁଦ୍ଧ କରୁଥିବା ଜଣେ ୟୁକ୍ରେନ ଦମ୍ପତି ଯୁଦ୍ଧକ୍ଷେତ୍ରରେ ବିବାହ କରିଥିବା ଦେଖିବାକୁ ମିଳିଛି।

ଏଥିସହ ସୀମାରେ ନିଜ ସହକର୍ମୀଙ୍କ ସହ ଉତ୍ସବ ପାଳନ କରୁଥିବା ବେଳେ ତାଙ୍କର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଲେସିଆ(କନ୍ୟା) ଓ ଭାଲେରୀ(ବର) ୟୁକ୍ରେନ ସେନା ପୋଷାକରେ ବିବାହ କରୁଥିବା ନଜର ଆସିଛନ୍ତି। ଏଥିସହ ବିବାହ ସମୟରେ ଲେସିଆ ଏକ ପୁଷ୍ପଗୁଚ୍ଛ ଧରି ଠିଆ ହୋଇଥିବା ବେଳେ ଜଣେ ସୈନ୍ୟ ଗିଟାର ବଜାଇ ଗୀତ ଗାଉଛନ୍ତି ଏବଂ ଅନ୍ୟମାନେ ତାଙ୍କ ଚାରିପଟେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ଓଡୋସାରେ ଏକ ବୋମା ଆଶ୍ରୟସ୍ଥଳରେ ମଧ୍ୟ ଜଣେ ୟୁକ୍ରେନ ସୁରକ୍ଷାକର୍ମୀ ନିଜ ପ୍ରେମିକାଙ୍କୁ ବିବାହ କରିଥିଲେ। ସୂଚନାଯୋଗ୍ୟ, ଲେସିଆ, ଭାଲେରୀ ଓ ତାଙ୍କ ସହଯୋଗୀ ହେଉଛନ୍ତି ଟେରୋଟୋରିଆଲ ଡିଫେନ୍ସର ସୈନ୍ୟ। ୟୁକ୍ରେନକୁ ବଞ୍ଚାଇବା ପାଇଁ ସୀମାରେ ସେମାନେ ରୁଷିଆର ସୈନ୍ୟଙ୍କ ସହ ଲଢ଼ୁଛନ୍ତି।

 

Share