ରୁଷିଆ ଟ୍ୟାଙ୍କ୍‌ ଉପରେ ଚଢିଗଲେ ୟୁକ୍ରେନ ବ୍ୟକ୍ତି: କଲେ ଏମିତି କାମ

କ୍ୱିଭ୍‌,୧୦।୩:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୫ ଦିନରେ ପହଞ୍ଚିଛି। ୟୁକ୍ରେନରେ ନିଜର ଆକ୍ରମଣକୁ ବଜାୟ ରଖିଛି ରୁଷିଆ। ଏହି ଭୟଙ୍କର ଯୁଦ୍ଧରେ ୟୁକ୍ରେନ ସେନା ସହ ଏହାର ନାଗରିକମାନେ ମଧ୍ୟ ରୁଷିଆ ବିରୋଧରେ ବାହାରିଛନ୍ତି। ଅନେକ ଲୋକ ନିଜ ଦେଶର ସୁରକ୍ଷା ପାଇଁ ଜୀବନକୁ ବିପଦରେ ପକାଇ ରୁଷିଆ ସୈନିକମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଜଣେ ସାଧାରଣ ନାଗରିକ ରୁଷିଆର ଟ୍ୟାଙ୍କ ଉପରକୁ ଚଢି ୟୁକ୍ରେନର ପତାକା ଉତ୍ତୋଳନ କରିବାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ୟୁକ୍ରେନ ବ୍ୟକ୍ତି ତାଙ୍କ ହାତରେ ଜାତୀୟ ପତାକା ଧରି ରୁଷିଆ ଟ୍ୟାଙ୍କ ଉପରକୁ ଚଢିଥିବାର ନଜର ଆସିଛନ୍ତି। ବ୍ୟକ୍ତି ଜଣକ ଟ୍ୟାଙ୍କ ଉପରକୁ ଚଢିବା ପରେ ୟୁକ୍ରେନର ପତାକା ଉତ୍ତୋଳନ କରିଥିଲେ। ଲୋକମାନେ ତାଙ୍କ ଚାରିପାଖରେ ଏକତ୍ରିତ ହୋଇ ତାଙ୍କୁ ପ୍ରଶଂସା କଲେ। ରୁଷିଆ ଟ୍ୟାଙ୍କ ଚାରିପାଖରେ ଅନେକ ଲୋକ ୟୁକ୍ରେନର ଜାତୀୟ ପତାକା ଧରିଥିବାର ଦେଖାଯାଉଛି। ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କ ସାହସକୁ ପ୍ରଶଂସା କରିଛନ୍ତି।
ନିକଟରେ, ୟୁକ୍ରେନର ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ରୁଷିଆ ଟ୍ୟାଙ୍କ ସାଧାରଣ ନାଗରିକଙ୍କ ଗାଡି ଉପରେ ଆକ୍ରମଣ କରିଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଫେବୃୟାରୀ ୨୪ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୟୁକ୍ରେନର ଅତି କମରେ ୪୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୮୦୦ ଜଣ ଆହତ ହୋଇଛନ୍ତି।

Share